ଜଗତସିଂହପୁର, 12/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ )
ତା - ୧୦/୭ :

ଇସ୍କନର ଅଦିନିଆ ରଥଯାତ୍ରା ଓ ଇସ୍କନ୍ର ମନମାନିକୁ ବିରୋଧ କରି ଜଗତସିଂହପୁର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସମ୍ପ୍ରତି ବିଶ୍ଵର ବିଭିନ୍ନ ଦେଶରେ ଇସ୍କନ ସଂସ୍ଥା ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଲଂଘନ କରାଯାଇ ଅଦିନିଆ ରଥଯାତ୍ରା ଏବଂ ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଶାସ୍ତ୍ରୀୟ ରୀତିନୀତି ଏବଂ ବିଧିବିଧାନକୁ ବେଖାତିର କରି କେବଳ ଅର୍ଥ ଓ ପ୍ରତିଷ୍ଠା ଲକ୍ଷ୍ୟରେ ଇସ୍କନ ଏଭଳି କରୁଥିବାରୁ ସବୁ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜାଙ୍କ ଚିଠିକୁ ଇସ୍କନ ଅଗ୍ରାହ୍ୟ କରିଦେଇଥିବାରୁ ଏହା ଗଜପତି ମହାରାଜାଙ୍କ ପ୍ରତି ଅପମାନା ଏଭଳି ପରିସ୍ଥିତିରେ ଜଗତସିଂହପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ରାଜରାସ୍ତାକୁ ଓହ୍ଲାଇବା ସହିତ ଇସ୍କନର ସ୍ବେଚ୍ଛାଚାର ବିରୋଧରେ ପ୍ରତିବାଦ କରିଛି। ଏହି ଅବସରରେ ସେବା ନିବୃତ୍ତ ଅଧ୍ୟାପକ ଭଗବାନ ଦାଶଙ୍କ ଆବାହକତ୍ବରେ ସିପି ସ୍ଥିତ ମା’ ସୁବର୍ଣ୍ଣବରାହୀ ମନ୍ଦିର ପରିସରରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଏବଂ ବାବା ଦିବାକର ଦାସ ଯୋଗଦେଇ ଇସ୍କନର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବାବା ସୀତାରାମ ଦାସ, ବାବାଜୀ ସନାତନ ଦାସ, ବାବାଜୀ ଜଗନ୍ନାଥ ଦାସ, ଅଧିକାରୀ ରମାକାନ୍ତ ଦାସ, ଡ. ସୁନାକର ବେହେରା, ଗବେଷକ ଡ. ସୁରେନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ ବିଜୟ ରଥ, ଡ଼. ରବି ମିଶ୍ର, ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ପୁଷ୍ପାଞ୍ଜଳି ରାୟ ଏବଂ ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ପରେ ସମସ୍ତେ ଏକ ଶୋଭାଯାତ୍ରାରେ ଆସି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ |

