କୁଜଙ୍ଗ , 12/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
କୁଜଙ୍ଗ11/7 :

ଜଗତସିଂହପୁର ଜିଲ୍ଲାର ଗୁରୁତ୍ୱପୂର୍ଣ ଐତିହାସିକ , ବାଣିଜ୍ୟ ଓ ଶିଳ୍ପ ସହର ସଲଗ୍ନ ଅଂଚଳ କୁଜଙ୍ଗକୁ ଏନ୍ଏସି ଘୋଷଣା ପାଇଁ ବାଟ ଫିଟିଛି l ଜିଲ୍ଲା ପ୍ରଶାସନ ଏନେଇ ଆବଶ୍ୟକ କାଗଜାତ ଓ ସୁପାରିଶ ପତ୍ର ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗରେ ଦାଖଲ କରିସାରିଛି l କାଗଜ ପତ୍ର ମଧ୍ୟରେ ନଗର ଉନ୍ନୟନ ବିଭାଗରୁ ଆସିଥିବା ଜଗତସିଂହପୁର ଜିଲ୍ଲାପାଳଙ୍କୁ ପତ୍ର , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର , ଡ଼ିଆରଡ଼ିଏ (ଡୁଡା)ର ପତ୍ର ଓ କୁଜଙ୍ଗ ବିଡ଼ିଓଙ୍କ ସୁପାରିଶ ପତ୍ର ସହିତ କୁଜଙ୍ଗ ବଜାର ନିକଟସ୍ଥ ପାଞ୍ଚ ପଞ୍ଚାୟତ ସଭାର ନିଷ୍ପତ୍ତି ପତ୍ରର ସମସ୍ତପତ୍ର ବିନିମୟର କାଗଜାତ ପତ୍ର ନଗର ଉନ୍ନୟନ ବିଭାଗରେ ଦାଖଲ ହୋଇଥିବା ଜଣାପଡିଛି l ନୂଆ ଏନଏସିରେ ମୁଖ୍ୟାଳୟ କୁଜଙ୍ଗ ପଂଚାୟତ , ମଙ୍ଗରାଜପୁର , ବାଗୋଇ , ବାଲିଆ ଓ ଗୋପିଆକୁଦର ପାଞ୍ଚ ପଞ୍ଚାୟତର ଶୋଳଟି ଗ୍ରାମର 35 ହଜାର ଲୋକ ସଂଖ୍ୟାରେ ଗଠନ ପାଇଁ ପ୍ରଶାସନିକ ସୁପାରିଶ ହୋଇଛି l କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯିବାକୁ ଆନ୍ଦୋଳନ କରୁଥିବା କୁଜଙ୍ଗ ସଚେତନ ନାଗରିକ ମଞ୍ଚ ଏଥିନେଇ ପୁନର୍ବାର ଜିଲ୍ଲାପାଳଙ୍କ ଜଣାଶୁଣାଣିରେ ଏନ୍ଏସି ଘୋଷଣା ପାଇଁ ସରକାରଙ୍କୁ ଦାବିପତ୍ର ଦିଆଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାଗଜ ପତ୍ର କାମ ଶେଷ କରାଯାଇଛି ଓ ଘୋଷଣା ସରକାରଙ୍କ ପକ୍ଷରୁ ହେବ ବୋଲି କୁହାଯାଇଛି l ସଚେତନ ନାଗରିକ ମଞ୍ଚ ଆବାହକ ଡକ୍ଟର ରଘୁନାଥ ସାହୁଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ କାଗଜ ପତ୍ରର କପି ମେଲ ଯୋଗେ ପଠେଇ ଦିଆଯାଇଥିବା ସ୍ପଷ୍ଟ ହୋଇଛି l ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ରହିଛି l ତେବେ ନୂଆ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଖୁସି ଅବସରରେ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୁଜଙ୍ଗକୁ ଏନ୍ଏସି ଘୋଷଣା କରନ୍ତୁ ବୋଲି ଦାବି ଜୋରଦାର ହୋଇଛି l ଆସନ୍ତା ସପ୍ତାହରେ ଜନସଚେତନତା ପାଇଁ ଦସ୍ତଖତ ଅଭିଯାନ ଶିବିର କୁଜଙ୍ଗରେ ଅନୁଷ୍ଠିତ ହେବ ଓ ଘୋଷଣା ବିଳମ୍ବ ହେଲେ ନାଗରିକ ମଞ୍ଚ ପୁଣି ଆନ୍ଦୋଳନକୁ ଓଲ୍ହେଇବ ବୋଲି ଆଜି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ଆବାହକ ଡକ୍ଟର ସାହୁ ଓ ମଞ୍ଚ ବରିଷ୍ଠ ଉପଦେଷ୍ଟା ପୀତାମ୍ବର ତରାଇଙ୍କ ସମେତ ଉପସ୍ଥିତ କୁଜଙ୍ଗ ସଚେତନ ନାଗରିକ ମଞ୍ଚର କାର୍ଯ୍ୟକର୍ତାମାନେ ପ୍ରକାଶ କରିଛନ୍ତି l ମଞ୍ଚ ପକ୍ଷରୁ ସୂଚନା ଅନୁଯାୟୀ ଅବିଭକ୍ତ କଟକ ଜିଲ୍ଲାର ( ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ) କୁଜଙ୍ଗ ବିଗତ ପାଞ୍ଚଶହ ବର୍ଷର ଏକ ଐତିହାସିକ, ସାଂସ୍କୃତିକ ଓ ପ୍ରାଚୀନତମ ବାଣିଜ୍ୟ ସହର ଅଟେ l ଦେଶ ସ୍ୱାଧୀନତା ଆନ୍ଦୋଳନରେ କୁଜଙ୍ଗର ଭୂମିକା ଅଧିକ ଗୁରୁତ୍ୱପୂର୍ଣ l ଓଡିଶା ବିକାଶର ମୁଖଶାଳା ପାରାଦୀପ ବନ୍ଦର ଓ ତତସଲଗ୍ନ ଶିଳ୍ପ ନଗରୀ କୁଜଙ୍ଗ ତହସିଲ ଅନ୍ତର୍ଗତ l

କୁଜଙ୍ଗ ଲୋକଙ୍କ ଚାଷ ଜମିରେ ପାରାଦୀପ ଶିଳ୍ପ ଠିଆ ହେଇଛି l ସବୁଠୁ ଗୁରୁତ୍ୱପୂର୍ଣ କଥା, କୁଜଙ୍ଗକୁ ବିଚାର ବିଭାଗୀୟ ଜିଲ୍ଲା ମାନ୍ୟତା ମିଳିସାରିଛି l କୁଜଙ୍ଗରେ ଏବେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ସହିତ ମୋଟ ପାଞ୍ଚଟି କୋର୍ଟ ସ୍ଥାପନ ହୋଇ କାର୍ଯ୍ୟ କରୁଛି l କୁଜଙ୍ଗ ଥାନା ,ତହସିଲ , ବ୍ଲକ , ଜେଲ , ରେଜେଷ୍ଟ୍ରି କାର୍ଯ୍ୟାଳୟ , ଜିଲ୍ଲା ଉପ- ଫିସାରି , ଏଗ୍ରିକଲଚର , ପୋଷ୍ଟ ମଟମ ସେଣ୍ଟର,ଦଶରୁ ଉର୍ଦ୍ଧ ସରକାରୀ ବେସରକାରୀ ରାଷ୍ଟ୍ରlୟତ ବ୍ୟାଙ୍କ , ଗ୍ରାମ ଉନ୍ନୟନ ଓ ଜଳ ସମ୍ପଦ କାର୍ଯ୍ୟାଳୟ ସମେତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି l କୁଜଙ୍ଗର ସରକାରୀ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଶତାଧିକ ସଂଖ୍ୟାରେ ଦୋକାନ ଘର ରହିଛି l କୁଜଙ୍ଗର ପାନ ଓ ମାଛ ଶୁଖୁଆ ରାଜ୍ୟ ତଥା ରାଜ୍ୟ ବାହାରକୁ ରତ୍ପାନୀ କରାଯାଉଛି l ପାରାଦ୍ୱୀପ ଶିଳ୍ପ କୁଜଙ୍ଗ ଛୁଇଁ ଥିବାରୁ ବାହାର ଅଂଚଳର ହଜାର ହଜାର ଲୋକେ କୁଜଙ୍ଗରେ ବସତି ସ୍ଥାପନ କରିବାରୁ ଜନସଂଖ୍ୟା ବଢିଛି ଓ କୁଜଙ୍ଗ ବଜାର ଏବେ ଏକ ବୃହତ ବ୍ୟବସାୟୀକ କେନ୍ଦ୍ରରେ ପରିଣତ ହୋଇଛି l କୁଜଙ୍ଗକୁ NAC ଘୋଷଣା ଦାବୀ ଜୋରଦାର ହୋଇ କୁଜଙ୍ଗ ବନ୍ଦ ଆନ୍ଦୋଳନ ପରେ ତତକାଳିନ ବିଜେଡି ସରକାରଙ୍କ ନିର୍ଦେଶରେ କୁଜଙ୍ଗର ଭିତ୍ତିଭୂମି ତନଖିବାକୁ ତା11/03/2024 ରିଖରେ ଏକ ସରକାରୀ ଦଳ କୁଜଙ୍ଗ ଗସ୍ତକରି ଥିଲେ l ଉକ୍ତ ସରକାରୀ ଦଳଙ୍କ ରିପୋର୍ଟ ପ୍ରଦାନ ପରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା 14/03/2024 ରିଖରେ କୁଜଙ୍ଗକୁ NAC ( ବିଜ୍ଞପିତ ଅଞ୍ଚଳ ପରିଷଦ ) ଘୋଷଣା କରିଥିଲେ lକିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ NAC ଘୋଷଣା କରିଥିବା ବେଳେ କୁଜଙ୍ଗକୁ ଅଣଦେଖା କରିବା କୁଜଙ୍ଗବାସୀଙ୍କୁ ହତବାକ କରିଥିଲା l ତା09/09/2025 ରିଖରେ *କୁଜଙ୍ଗ ବନ୍ଦ* ଡାକରା ଦିଆଯାଇଥିଲା l ତେବେ ବନ୍ଦ ଡାକରା ଅବ୍ୟବହିତ ପୂର୍ବରୁ ତା 05/09/2025 ରିଖରେ ସ୍ଥାନୀୟ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପ ସରକିଟ ହାଉସଠାରେ ଆନ୍ଦୋଳନକାରିଙ୍କ ସଂଗଠନ କୁଜଙ୍ଗ ସଚେତନ ନାଗରିକ ମଞ୍ଚର ନେତୃତ୍ୱମାନଙ୍କ ସହିତ ଗଠନମୂଳକ ଆଲୋଚନା କରିଥିଲେ l ମନ୍ତ୍ରୀ ଶ୍ରୀ ସ୍ୱାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଆବଶ୍ୟକ କାଗଜ ପତ୍ର ଠିକ କରାଯାଇ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ତେବେ ବର୍ତ୍ତମାନ ସମସ୍ତ କାଗଜପତ୍ର ଶେଷ ହୋଇଛି l ତୁରନ୍ତ ମୁଖ୍ୟମନ୍ତ୍ରୀ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଉ ବୋଲି ସଚେତନ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି l
ଆଜିର ସାମ୍ବାଦିକ ସମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ପ୍ରିୟମ୍ବଦା ପାଣି , କୁଜଙ୍ଗ ଓକିଲ ସଂଘ ସମ୍ପାଦକ ରଂଜିତ ବିଶ୍ୱାଳ , କୁଜଙ୍ଗ ପ୍ରେସ୍ କ୍ଲବ ସମ୍ପାଦକ ଦୁଷ୍ମନ୍ତ ମାଝୀ , ବିଜୟ ଖଟେଇ , ରାମଦାସ ମହାନ୍ତି , ସୁଶାନ୍ତ ଦାସ ଓ ରଶ୍ମିରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l