ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରୀ,ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୋଧରେ କନଭେନସନ

ଗଞ୍ଜାମ/ବ୍ରହ୍ମପୁର, 19/07/2026, ଉତ୍କଳ voice news - utkalvoicenews.com ତା - ୧୮.୦୭.୨୦୨୬ : ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ଯୌନ ନିର୍ଯ୍ୟାତନା ଓ ଉତ୍ପୀଡ଼ନ ବିରୋଧରେ ଏକ କନଭେନସନ ଆଜି ଉତ୍କଳ ଆଶ୍ରମ ଠାରେ ଆୟୋଜିତ ହୋଇଯାଇଛି।
Article Image
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ, ସର୍ବତ୍ର ଛାତ୍ରୀମାନଙ୍କ ଉପରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସଂପ୍ରତି ଓଡ଼ିଶାରେ ସୌମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଏବଂ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଠାରେ ଭିଡ଼ ହିଂସା ମାଧ୍ଯମରେ ଅତ୍ୟନ୍ତ ବେଦନାଦାୟକ ଘଟଣା ଏହାର ଜ୍ଵଳନ୍ତ ଉଦାହରଣ, ଯେଉଁଠାରେ ପ୍ରଶାସନ ଏବଂ ସରକାର ଦୋଷୀକୁ କଠୋର ଦଣ୍ଡ ଦେଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାପାଇଁ ତତ୍ପରତା ପ୍ରଦର୍ଶନ କରିଥିଲେ। ନର୍ସରୀରେ ପଢ଼ୁଥିବା ଛାତ୍ରୀ ଏପରିକି ଜଣେ ୮ ମାସର ଶିଶୁ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ପାଉନାହାନ୍ତି। ମହିଳା ଏବଂ ଛାତ୍ରୀମାନେ ପ୍ରତିଦିନ ଏଭଳି ଘଟଣାର ଶିକାର ହେଉଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଏହା ବିରୁଦ୍ଧରେ ଉଠୁଥିବା ସ୍ୱର ଏବଂ ଘଟଣାକୁ ଦବେଇ ଦିଆଯାଉଥିବା ବେଳେ କିଛି କ୍ଷେତ୍ରରେ ନିଜେ ପୀଢ଼ିତା, ଦୋଷୀ ତଥା ଅନ୍ୟମାନଙ୍କ ଉତ୍ପୀଡ଼ନର ଶିକାର ହେଉଛନ୍ତି। ଶିଶୁ କିଶୋର ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାସ୍ତବ ଜୀବନଠାରୁ ଦୂରେଇ ମୋବାଇଲ ମଧ୍ୟରେ ଥିବା ଅବାସ୍ତବ ଜୀବନ, ଯୌନତାରେ ନିମଜ୍ଜିତ। ଏହାର ପରିଣାମରେ ଛାତ୍ର-ଯୁବ ସମାଜର ସାଂସ୍କୃତିକ ମାନ ନିରନ୍ତର, ଦ୍ରୁତ ଅବନତି ଆଡକୁ ଗତି କରୁଛି । ଗୋଟିଏ ପଟେ ଅନେକ ଶିକ୍ଷାନୁଷ୍ଠାନରେ ଯୌନ ଉତ୍ପୀଡନ ସମ୍ବନ୍ଧୀୟ ଅଭିଯୋଗର ତଦନ୍ତ ପାଇଁ ଆବଶ୍ୟକ କମିଟିମାନ, ଯଥା GS-CASH (Gender SensitisationCommittee against Sexual Harassment) ପରି ସ୍ଵାଧୀନ ଓ ଗଣତାନ୍ତ୍ରିକ କମିଟି ଗଠନ କରାଯାଉନାହିଁ କିମ୍ବା ନିଷ୍କ୍ରିୟ ଓ ଅକାର୍ଯ୍ୟକାରୀ ଅବସ୍ଥାରେ ରହିଛି। କିନ୍ତୁ ଏହି କମିଟିଗୁଡ଼ିକୁ ଭାଙ୍ଗି ICC (Internal Complaints Committee) ପରି କମିଟିଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି, ଯେଉଁଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ଅକାର୍ଯ୍ୟକାରୀ ପ୍ରମାଣିତ ହେଉଛି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ କରିବାର ଗଣତାନ୍ତ୍ରିକ ଅଧିକାର ଛାତ୍ର ସଂସଦ ନିର୍ବାଚନ ମଧ୍ୟ ଦୀର୍ଘ ଧରି ସରକାର ବନ୍ଦ କରିରଖିଛନ୍ତି। ଏହା ସହ ସଂପ୍ରତି ରାଜ୍ୟ ସରକାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡିକରେ ଆଦର୍ଶ ଆଚରଣ ବିଧି ଲଗୁକରି ପ୍ରତିବାଦ କରିବା ଏବଂ ଭିନ୍ନ ମତ ପୋଷଣ କରିବାର ସମସ୍ତ ଅଧିକାରକୁ ସଂପୂର୍ଣ୍ଣ ଛଡାଇ ନେଇଛନ୍ତି। ତେଣୁ ଆଜିର କନଭେନସନରୁ ସମଗ୍ର ଜିଲ୍ଲାରେ ସଂଘର୍ଷ କମିଟି ଗଠନ, ସ୍ୱେଚ୍ଛାସେବୀ ସଂଗଠନ ଓ ଜନସଚେତନତା ଅଭିଯାନକୁ ବ୍ୟାପକ କରିବା ସହ ସମସ୍ତଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।କନଭେନସନରେ ମୁଖ୍ୟବକ୍ତା ଭାବେ ଏଆଇଡିଏସ୍ଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ ଯୋଗଦେଇ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କ୍ଷେତ୍ରରେ ମହିଳା, ଛାତ୍ରୀ ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୁଦ୍ଧରେ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ କନଭେନସର ସଭାପତିତ୍ବ କରିଥିଲେ, ଜିଲ୍ଲା ସଭ୍ୟା ଶୁଭସ୍ମିତା ପାଣିଗ୍ରାହୀ ଭିତ୍ତି ପତ୍ର ପାଠ କରିଥିଲେ, କୋଷାଧକ୍ଷ କିଶାନ କୁମାର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ, ଜିଲ୍ଲା ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା ଉପସଭାପତି ପପୁନ ସାହୁ, ଜିଲ୍ଲା କମିଟି ସଭ୍ୟ କାମରାଜୁ ସାହୁ ସମେତ ଜଗନ୍ନାଥ ବେହେରା ଏବଂ ବହୁ ଛାତ୍ରଛାତ୍ରୀ କନଭେନସନରେ ବକ୍ତବ୍ୟ ରଖିଥିଲେ।
3