ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହେରା ପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ଦେଖିବାକୁ ଭକ୍ତଙ୍କ ଭିଡ଼

ବୁଗୁଡ଼ା, 21/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପ୍ରସିଦ୍ଧ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଗୁଣ୍ଡିଚାଘର ଠାରେ ପବିତ୍ର "ହେରା ପଞ୍ଚମୀ" ତିଥି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ଆଡ଼ପ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଦୁର୍ଲଭ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚାଘର ଅଭିମୁଖେ ଚାଲିଆସିବା ପରେ ଶ୍ରୀମନ୍ଦିରରେ ଏକାକୀ ରହିଯାଇଥିବା ମା' ମହାଲକ୍ଷ୍ମୀ ଅଭିମାନ କରିଥାନ୍ତି। ପ୍ରଭୁଙ୍କ ପ୍ରେମରେ ଆତୁର ହୋଇ ମା' ଲକ୍ଷ୍ମୀ ଠାକୁରାଣୀ ଆଜିର ପବିତ୍ର ତିଥିରେ ମହାପ୍ରଭୁଙ୍କୁ ଖୋଜିବାକୁ ଏବଂ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ଅନୁରୋଧ କରି ଗୁଣ୍ଡିଚା ବାଡ଼ିକୁ ଆସିଥାନ୍ତି। ଏହି ପାରମ୍ପରିକ ଉପାଖ୍ୟାନ ଓ ଆଧ୍ୟାତ୍ମିକ ରୀତିନୀତିକୁ ନେଇ ମନ୍ଦିର ପରିସରରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଭାବପୂର୍ଣ୍ଣ ଆଳତି ଆରମ୍ଭ ହେବା ମାତ୍ରେ ସମଗ୍ର ଗୁଣ୍ଡିଚା ମନ୍ଦିର ପରିସର ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରୁ ଆସିଥିବା ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ଶ୍ରୀମୁଖ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଏବଂ ମା' ଲକ୍ଷ୍ମୀଙ୍କ ଅଭିମାନର ଏହି ଅପୂର୍ବ ପରମ୍ପରାକୁ ଦେଖି ଶ୍ରଦ୍ଧାଳୁମାନେ ଆତ୍ମବିଭୋର ହୋଇଯାଇଥିଲେ।
Article Image
6