ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ସାଇ ପ୍ରିୟ ୱାକର୍ସ କ୍ଲବ ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ଭବ୍ୟ ଅନ୍ନପ୍ରସାଦ ବଣ୍ଟନ ସମାରୋହ 

ରାୟଗଡ଼ା, 24/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ, ଉତ୍କଳର ଗୌରବ, କଳିଯୁଗର ଜୀବନ୍ତ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାର ଶୁଭ ଓ ପୁଣ୍ୟ ଅବସରରେ ରାୟଗଡ଼ା ସାଇ ପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ରାୟଗଡ଼ା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ମୁଖ୍ୟ ଶାଖା) ସମ୍ମୁଖରେ ଏକ ଭବ୍ୟ ଓ ସୁସଂଗଠିତ ଅନ୍ନପ୍ରସାଦ ବଣ୍ଟନ ସମାରୋହ ଭକ୍ତି, ସେବା ଓ ସମର୍ପଣର ଅନନ୍ୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ମହତ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା , ସମ୍ମାନିୟ ଅତିଥି ଭାବେ ରାୟାଗଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁଲଦୀପ କୁମାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ବିଳାସ ଚନ୍ଦ୍ର ବେହେରା ଯୋଗଦେଇ ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।
Article Image
ଏହି ପୁଣ୍ୟ ସମାରୋହରେ ଅନ୍ତର୍ଜାତୀୟ ୱାକର୍ସ କ୍ଲବର ଅଞ୍ଚଳିକ ପାର୍ଷଦ ୱାକର୍ କିଶୋର ଚନ୍ଦ୍ର ପଣ୍ଡା, ଅଞ୍ଚଳିକ ସଂଯୋଜକ ୱାକର୍ ଟି. ଜୟରାମ, ଅଞ୍ଚଳିକ ସଂଯୋଜକ ୱାକର୍ ସତ୍ୟବାଦୀ ପତି, ସାଇପ୍ରିୟା ୱାକର୍ସ କ୍ଲବର ପ୍ରତିଷ୍ଠାତା ସଭାପତି ୱାକର୍ ସୁବାସ ବେହେରା, ଅଞ୍ଚଳିକ ସଭାପତି ୱାକର୍ ଡା. ଏମ୍. ସୁରେଶ କୁମାରଙ୍କ ସମେତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ୱାକର୍ସ କ୍ଲବର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ପ୍ରାତଃ ଠିକ୍ ୯.୩୦ ଘଟିକାରେ ସାଇପ୍ରିୟା ୱାକର୍ସ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟା କ୍ଲବର ସ୍ୱତନ୍ତ୍ର ପରିଧାନରେ ସୁଶୃଙ୍ଖଳ ଭାବେ ସମାରୋହ ସ୍ଥଳରେ ପହଞ୍ଚିଥିଲେ। ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନ ଓ ସାଧାରଣ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକଙ୍କ ଦକ୍ଷ ନେତୃତ୍ୱରେ ପ୍ରତ୍ୟେକ ସଦସ୍ୟ ନିଜ ଉପରେ ନ୍ୟସ୍ତ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠା, ଶୃଙ୍ଖଳା ଓ ସେବାଭାବର ସହିତ ସମ୍ପାଦନ କରିଥିଲେ। ବାହୁଡା ଯାତ୍ରା ଉପଲକ୍ଷେ ଦୂରଦୂରାନ୍ତରୁ ଆସିଥିବା ସହସ୍ରାଧିକ ଭକ୍ତଙ୍କ ସମାଗମରେ ପ୍ରସାଦ ବଣ୍ଟନ ସ୍ଥଳ ଆଧ୍ୟାତ୍ମିକ ଉଲ୍ଲାସରେ ମୁଖରିତ ହୋଇଉଠିଥିଲା। କ୍ଲବର ସ୍ୱେଚ୍ଛାସେବୀମାନେ ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳର ସୁପରିଚାଳନା ଏବଂ ଶୃଙ୍ଖଳା ରକ୍ଷାରେ ଅସାଧାରଣ ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ। ସକାଳ ୧୦.୦୦ ଘଟିକାରୁ ଆରମ୍ଭ ହୋଇଥିବା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ ୧.୩୦ ଘଟିକା ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ଏହି ଅବସରରେ ପ୍ରାୟ ୪,୦୦୦ରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ପବିତ୍ର ଅନ୍ନପ୍ରସାଦ ସେବନ କରି ଆଧ୍ୟାତ୍ମିକ ତୃପ୍ତି ଲାଭ କରିଥିଲେ ଏବଂ ସାଇପ୍ରିୟା ୱାକର୍ସ କ୍ଲବର ଏହି ନିଷ୍କାମ ସେବାକୁ ଶତମୁଖରେ ପ୍ରଶଂସା କରିଥିଲେ। ଏହି ମହାନ ସେବାଯଜ୍ଞର ସଫଳ ରୂପାୟନରେ ପ୍ରତିଷ୍ଠାତା ସଭାପତି ୱାକର୍ ସୁବାସ ବେହେରା, ମୁଖ୍ୟ ଉପଦେଷ୍ଟା ୱାକର୍ ବି. ଏମ୍. ରାଓ ପଟ୍ଟନାୟକ, ଅଞ୍ଚଳିକ ସଭାପତି ୱାକର୍ ଡା. ଏମ୍. ସୁରେଶ କୁମାରଙ୍କ ସୁଦୂରପ୍ରସାରୀ ଯୋଜନା ଏବଂ ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନ ଓ ସାଧାରଣ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକଙ୍କ ଦୃଢ଼ ନେତୃତ୍ୱ ଓ ସୁପରିଚାଳନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏଥିସହ କୋଷାଧ୍ୟକ୍ଷ ୱାକର୍ କେ. ବୈକୁଣ୍ଠ ରାଓ, ଉପସଭାପତି ୱାକର୍ ଲାଲମୋହନ ବେହେରା, ୱାକର୍ ବିପ୍ର ଚରଣ ବ୍ରହ୍ମା, ୱାକର୍ ଶ୍ରଦ୍ଧାନନ୍ଦ ଖାଡ଼ଙ୍ଗା, ୱାକର୍ ଭି. ଜେ. ଆର୍. ପଟ୍ଟନାୟକ, ୱାକର୍ ଏଲ୍. କେ. ପଣ୍ଡା, ୱାକର୍ ସାମ୍ଭାମୂର୍ତ୍ତି, ୱାକର୍ ସଂଯୁକ୍ତା ରାଣୀ ପଣ୍ଡା, ୱାକର୍ ସୁଶୀଳା ନାୟକ ଏବଂ କ୍ଲବର ସମସ୍ତ ସଦସ୍ୟଙ୍କ ନିଷ୍ଠାପୂର୍ଣ୍ଣ ସେବା, ସମନ୍ୱୟ ଓ ସମର୍ପଣ ଭାବନା ଏହି କାର୍ଯ୍ୟକ୍ରମକୁ ସଫଳତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତରେ ପରିଣତ କରିଛି। "ସେବା ହିଁ ପରମ ଧର୍ମ"—ଏହି ମହାନ ଆଦର୍ଶକୁ ପାଥେୟ କରି ସାଇପ୍ରିୟା ୱାକର୍ସ କ୍ଲବ ଭବିଷ୍ୟତରେ ମଧ୍ୟ ଏଭଳି ଜନହିତକର, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜସେବାର ଅବିରତ ଧାରାକୁ ଅଗ୍ରସର କରିବ ବୋଲି ସମସ୍ତଙ୍କ ମଧ୍ୟରେ ଦୃଢ଼ ଆଶା ପ୍ରକାଶ ପାଇଛି।
4