ଜଗତସିଂହପୁର / କନକପୁର, 26/07/2026, ଉତ୍କଳ voice news - utkalvoicenews.com ( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ଜୁଲାଇ ୨୫ :

କନକପୁର ସ୍ଥିତ ସାରଦା ଏକାଡେମୀର ବିଦ୍ୟାଳୟ ପରିସରରେ,ଶନିବାର ଦିନ ସ୍ୱର୍ଗତା ଶିକ୍ଷୟିତ୍ରୀ ତଥା ୧୯୯୦ ମେଟ୍ରିକ ବ୍ୟାଚ୍ର ର ପୂର୍ବତନ ଛାତ୍ରୀ ଶ୍ରୀମତୀ ଅପର୍ଣ୍ଣା ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭାବବିହ୍ୱଳ ଶୋକସଭା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଗତ ଜୁଲାଇ ୧୩ ତାରିଖରେ ତାଙ୍କର ପରଲୋକ ଘଟିଥିଲା ୧୯୯୦ ମେଟ୍ରିକ ବ୍ୟାଚ ର ସହପାଠୀ ଏବଂ ସାରଦା ଏକାଡେମୀ ବିଦ୍ୟାଳୟ ର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିନ୍ଦିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ମାନସ ପୃଷ୍ଟି ଓ ବିଶିଷ୍ଟ ପୂର୍ବତନ ଛାତ୍ର ଶ୍ରୀ ବାସବ ନନ୍ଦ ସମ୍ମାନିତ ଅତିଥି ଥିଲେ। ସ୍ୱର୍ଗତାଙ୍କ ଜ୍ୟେଷ୍ଠ ଭ୍ରାତା ଶ୍ରୀ ରଞ୍ଜନ ପଣ୍ଡା ମଧ୍ୟ ଉପସ୍ଥିତ ରହି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନାରେ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ସଭାପତି ଶ୍ରୀ ବାସବ ନନ୍ଦ ସ୍ୱର୍ଗତା ଅପର୍ଣ୍ଣା ପଣ୍ଡାଙ୍କୁ ଜଣେ ଆଦର୍ଶ, ଶୃଙ୍ଖଳିତ, ନିଷ୍ଠାବାନ ଓ ସହୃଦୟ ଶିକ୍ଷୟିତ୍ରୀ ଭାବେ ସ୍ମରଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଅନିନ୍ଦିତା ମିଶ୍ର, ବରିଷ୍ଠ ଶିକ୍ଷକ ଶ୍ରୀ ମାନସ ପୃଷ୍ଟି ଓ ଅନ୍ୟାନ୍ୟ ଶିକ୍ଷକମାନେ ତାଙ୍କର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ନେତୃତ୍ୱଗୁଣ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଅକୃତ୍ରିମ ସ୍ନେହକୁ ସ୍ମରଣ କରିଥିଲେ।ଭାବବିହ୍ୱଳ କଣ୍ଠରେ ରଞ୍ଜନ ପଣ୍ଡା କହିଥିଲେ ଯେ, ଅପର୍ଣ୍ଣା ସବୁବେଳେ ସାରଦା ଏକାଡେମୀର ଉନ୍ନତି ନେଇ ଚିନ୍ତିତ ରହୁଥିଲେ ଏବଂ ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ସମର୍ପିତ ସେବା ମାଧ୍ୟମରେ ବିଦ୍ୟାଳୟକୁ ଆହୁରି ଉଚ୍ଚ ସ୍ଥାନକୁ ନେବା ତାଙ୍କର ଜୀବନର ସ୍ୱପ୍ନ ଥିଲା।ସ୍ଥାନୀୟ ସାମ୍ବାଦିକ ଶ୍ରୀ ରମାକାନ୍ତ ରାଉଳ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ସ୍ୱର୍ଗତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ଜଣେ ସରଳ, ସଚ୍ଚୋଟ, ବିନମ୍ର ଓ ଆଦର୍ଶ ଶିକ୍ଷୟିତ୍ରୀ ବୋଲି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ, ସାରଦା ଏକାଡେମୀ ତାହାର ଜଣେ ଉଜ୍ଜ୍ୱଳ ରତ୍ନକୁ ହରାଇଛି।ସଭାରେ ସ୍ୱର୍ଗତା ଅପର୍ଣ୍ଣା ପଣ୍ଡାଙ୍କ ସହପାଠୀ ରଶ୍ମି ରଞ୍ଜନ ସାହୁ, ଶାନ୍ତନୁ ଶୋମ, ରାମଚନ୍ଦ୍ର ଦାସ, ମନୋଜ ଦାସ, ଅଶୋକ ବେହେରା, ରଚିତା ମହାନ୍ତି, ସସ୍ମିତା ରାଉତ, ମନୋରଞ୍ଜନ ଓଝା, ସାରଦା ବିଶ୍ୱାଳ, ସୁରେନ୍ଦ୍ର ମହାନ୍ତି, ରବୀନ୍ଦ୍ର ମଲ୍ଲିକ ଓ ରମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ଛାତ୍ରଜୀବନର ସ୍ମୃତିଚାରଣ କରିଥିଲେ। ସେମାନେ କହିଥିଲେ ଯେ, ଅପର୍ଣ୍ଣା ପଣ୍ଡା ୧୯୯୦ ବ୍ୟାଚ୍ର ଗର୍ବ ଥିଲେ। ଏହି ବିଦ୍ୟାଳୟରେ ଶିକ୍ଷାଲାଭ କରି ପରେ ସେହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ସେବା କରିବା ତାଙ୍କ ଜୀବନର ଏକ ବିରଳ ଉଦାହରଣ ଥିଲା। ତାଙ୍କର ଆଦର୍ଶ, ନିଷ୍ଠା ଓ ସେବାଭାବ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ସହିତ ସଭାର ସମାପ୍ତି ଘଟିଥିଲା।