ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଲନରା ବ୍ଲକ୍‌ର ରିଭଲକଣା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଘଟିଥିବା ଘଟଣା ସମ୍ପର୍କରେ

ରାୟଗଡ଼ା, 06/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ ଜିଲ୍ଲାର କୋଲନରା ବ୍ଲକ୍ ଅନ୍ତର୍ଗତ ରିଭଲକଣାସ୍ଥିତ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ କନିଷ୍ଠ ଛାତ୍ରମାନଙ୍କ ପ୍ରତି କିଛି ସିନିୟର ଛାତ୍ରଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାୟଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।
Article Image
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୧ ଅଗଷ୍ଟ ୨୦୨୬ ତାରିଖରେ କ୍ରିକେଟ ଖେଳକୁ କେନ୍ଦ୍ର କରି କିଛି ଛାତ୍ରଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ସେହିଦିନ ପ୍ରଧାନ ଶିକ୍ଷକ ଏବଂ ଛାତ୍ରାବାସ ପରିଚାଳକ ସମ୍ପୃକ୍ତ ଛାତ୍ରମାନଙ୍କୁ ଡାକି ବୁଝାସୁଝା କରିଥିଲେ। କିନ୍ତୁ ୨ ଅଗଷ୍ଟ ୨୦୨୬ ତାରିଖ ରାତି ପ୍ରାୟ ୧୨ଟା ସମୟରେ କିଛି ଦଶମ ଶ୍ରେଣୀର ଛାତ୍ର କନିଷ୍ଠ ଛାତ୍ରମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ପରଦିନ ସକାଳ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ହୋଇନଥିଲା।
Article Image
୪ ଅଗଷ୍ଟ ୨୦୨୬ ତାରିଖ ସକାଳେ ଜଣେ ଅଭିଭାବକ ଭିଡିଓ ସହିତ ଅଭିଯୋଗ କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କୋଲନରା WEOଙ୍କୁ ଅବଗତ କରାଇଥିଲେ। ପ୍ରାଥମିକ ତଦନ୍ତ ପରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ପ୍ରଧାନ ଶିକ୍ଷକ ଚାନ୍ଦିଲି ଥାନାରେ ଏତଲା ଦାଖଲ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଥେରୁବାଲି ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
Article Image
ସେହିଦିନ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଛାତ୍ରାବାସରେ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ପୀଡ଼ିତ ଛାତ୍ରମାନଙ୍କ ପାଇଁ କାଉନସେଲିଂର ବ୍ୟବସ୍ଥା କରିଥିଲେ। ଶିଶୁ ମଙ୍ଗଳ କମିଟି (CWC) ମଧ୍ୟ ସ୍ୱାଧୀନ ଭାବେ ତଦନ୍ତ କରି ପୀଡ଼ିତ ଛାତ୍ରମାନଙ୍କଠାରୁ ଲିଖିତ ବୟାନ ସଂଗ୍ରହ କରିଥିଲା। ୫ ଅଗଷ୍ଟ ୨୦୨୬ ତାରିଖରେ କୋଲନରା ବ୍ଲକ୍ ଉନ୍ନୟନ ଅଧିକାରୀ ଏବଂ WEO ପୁନର୍ବାର ଘଟଣାସ୍ଥଳ ପରିଦର୍ଶନ କରି ବିସ୍ତୃତ ତଦନ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଜିଲ୍ଲା ମଙ୍ଗଳ ଅଧିକାରୀ,ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ସମ୍ପୃକ୍ତ ଅଧିକାରୀ ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ଘଟଣାର ସମୀକ୍ଷା କରିଥିଲେ। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଘଟଣାରେ ମୋଟ ୭ ଜଣ ଦଶମ ଶ୍ରେଣୀର ଛାତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଘଟଣାର ଭିଡିଓ ଧାରଣ କରିଥିବା ବେଳେ ଅନ୍ୟମାନେ ପୀଡ଼ିତ ଛାତ୍ରମାନଙ୍କୁ ଭୟଭୀତ କରିବା ଓ ନିର୍ଯାତନାରେ ସହଯୋଗ କରିଥିବା ଜଣାପଡ଼ିଛି। କାଉନସେଲିଂ ସମୟରେ ମିଳିଥିବା ବୟାନ ଅନୁଯାୟୀ, ସମ୍ପୃକ୍ତ ଛାତ୍ରମାନେ ପୂର୍ବରୁ ମଧ୍ୟ ବିଭିନ୍ନ ବିଶୃଙ୍ଖଳାମୂଳକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣ ଛାତ୍ରଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ (TC) ପ୍ରଦାନ କରାଯାଇ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି। ସେହିପରି ମୁଖ୍ୟ ବିଶୃଙ୍ଖଳା ଛାତ୍ରଙ୍କ ସମେତ ସମସ୍ତ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଦ୍ୟାଳୟର ନଥିପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ୨୭ ଜୁଲାଇ ୨୦୨୬ ତାରିଖରେ ସମସ୍ତ ଛାତ୍ରଙ୍କ ପାଇଁ ନିୟମିତ କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଶୃଙ୍ଖଳା, ପାରସ୍ପରିକ ସମ୍ମାନ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାଛଡ଼ା ଏପ୍ରିଲ ଓ ଜୁଲାଇ ମାସରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ଛାତ୍ରଙ୍କ ଅଭିଭାବକଙ୍କୁ ଡାକି ଆଲୋଚନା କରାଯାଇଥିଲା ଏବଂ ସମ୍ପୃକ୍ତ ଛାତ୍ରମାନଙ୍କ ମାନସିକ ସ୍ଥିରତା ପାଇଁ ସାମୟିକ ଭାବେ ଘରକୁ ପଠାଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟରେ ୨୬୫ ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ସହ ଛାତ୍ରାବାସ ପରିଚାଳନା କରିବାରେ ବ୍ୟାପକ ପ୍ରଶାସନିକ ଅସୁବିଧା ସୃଷ୍ଟି ହେଉଛି। ତଦୁପରି, ଗତ ୧୮ ଜୁନ ୨୦୨୬ ତାରିଖରୁ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିବା ସତ୍ତ୍ୱେ ତାଙ୍କ ସ୍ଥାନରେ ନୂତନ ପ୍ରଧାନ ଶିକ୍ଷକ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦାନ କରିନାହାନ୍ତି। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପୀଡ଼ିତ ଛାତ୍ରମାନଙ୍କୁ ଆବଶ୍ୟକ ମାନସିକ ସହାୟତା ଏବଂ କାଉନସେଲିଂ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ଛାତ୍ର ସୁରକ୍ଷିତ ଅଛନ୍ତି ଏବଂ ଛାତ୍ରାବାସରେ ସ୍ୱାଭାବିକ ପରିବେଶ ବଜାୟ ରହିଛି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଛାତ୍ରାବାସଗୁଡ଼ିକରେ ଥିବା ପରିଚାଳନାଗତ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିକଟରେ ପୁନର୍ବାର ପ୍ରସ୍ତାବ ପ୍ରେରଣ କରାଯାଇଛି। ଏହା ସହିତ ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳା, ପାରସ୍ପରିକ ସମ୍ମାନ ଏବଂ ରେଗିଂ ବିରୋଧୀ ସଚେତନତା ବୃଦ୍ଧି ପାଇଁ ନିୟମିତ କାଉନସେଲିଂ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଅବ୍ୟାହତ ରହିବ। ରାୟଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ଅଧିକାର ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏପରି ଅମାନବୀୟ, ହିଂସାତ୍ମକ ଓ ଶୃଙ୍ଖଳାଭଙ୍ଗକାରୀ କାର୍ଯ୍ୟ ପ୍ରତି ଭବିଷ୍ୟତରେ ମଧ୍ୟ 'ଶୂନ୍ୟ ସହନଶୀଳତା (Zero Tolerance)' ନୀତି କଠୋର ଭାବରେ ଅନୁସରଣ କରାଯିବ।
5