କୁଜଙ୍ଗ / ତାଳଦଣ୍ଡା , ଜୟସଙ୍ଗପୁର ଗ୍ରାମ, 09/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜୟସଙ୍ଗପୁର ଗ୍ରାମର ନଦୀକୂଳିଆ ବାସିନ୍ଦାଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ। ବନ୍ୟା ଆସିଲେ ପ୍ରତିବର୍ଷ ଏହି ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ବନ୍ୟା ପରିସ୍ଥିତିରେ ଆବଶ୍ୟକ ସହାୟତା ମିଳୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବନ୍ୟା ସମୟରେ ସେମାନଙ୍କୁ ଆବଶ୍ୟକ ରିଲିଫ୍ ସାମଗ୍ରୀ ମିଳିନଥିବା ବେଳେ ଅନେକ ପରିବାରକୁ ଖଣ୍ଡିଏ ପାଲ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଫଳରେ ନଦୀକୂଳିଆ ଲୋକେ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଥିବା କହିଛନ୍ତି।
ଏହି ସମସ୍ୟା ନେଇ ଜୟସଙ୍ଗପୁର ଗ୍ରାମର ସଞ୍ଜୟ କୁମାର ମାଝି ଓ ନଟବର ମାଝି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି।
ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ସାମଗ୍ରୀ, ପାଲ ଓ ଆବଶ୍ୟକ ସହାୟତା ଯୋଗାଇବା ସହିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।