ଏରସମା, 10/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ମନ୍ଦିରରେ ପୂଜାର୍ଚ୍ଚନାକୁ ନେଇ ତେଜିଲା ବିବାଦ। ଜାତିଆ ଆକ୍ଷେପ କରି ମହିଳାଙ୍କୁ ଗାଳିଗୁଲଜ ଓ ଠେଲାପେଲା ସହ ମାଡ଼ ମାରିବା ଅଭିଯୋଗ। ଘଟଣାକୁ ନେଇ ଥାନାରେ ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଉଭୟ ପକ୍ଷରୁ ପରସ୍ପର ବିରୋଧୀ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଏଭଳି ଅଭିଯୋଗ ଆସିଛି ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଅଟିମଟି ଗ୍ରାମରୁ।
ସୋମବାର ସକାଳେ କିଛି ମହିଳା ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ, ଗ୍ରାମର କିଛି ଯୁବକ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାଧା ଦେଇଥିବା ଅଭିଯୋଗ ହୋଇଛି।
ଏପରିକି ଜାତିଆ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଠେଲାପେଲା ଓ ମାଡ଼ ମାରିଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି। ଘଟଣା ସମୟରେ ଜଣେ ବୟସ୍କ ମହିଳା ଆକ୍ରମଣର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଏରସମା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ଗ୍ରାମର କିଛି ମହିଳାଙ୍କ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଘଟଣା ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତେବେ ପ୍ରକୃତ ଘଟଣା କଣ ଏବଂ କାହାର ଦୋଷ ରହିଛି, ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ମନ୍ଦିର ପ୍ରବେଶକୁ ନେଇ ଜାତିଆ ବିବାଦ ଆଇନଶୃଙ୍ଖଳାର ପ୍ରଶ୍ନ ଉଠାଇଥିବା ବେଳେ ପ୍ରଶାସନର ତଦନ୍ତ କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।