ଜଗତସିଂହପୁର / ନାଉଗାଁ, 13/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )ତା - ୧୨/୮:

ସାରର ଅଭାବକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ନାଉଗାଁ ଅଞ୍ଚଳରେ ଚୋରା ସାର ବେପାର ଅଭିଯୋଗ ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାରୁ ଚୋରାରେ ସାର ଆସି ନାଉଗାଁ ଦେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ରହିଛି।
ଗତ ସପ୍ତାହରେ ନାଉଗାଁ ବଜାର ନିକଟରୁ ୬୦ ବସ୍ତା ସାର ଜବତ ହୋଇଥିବା ବେଳେ ଏବେ ପୁଣି ପ୍ରଶାସନିକ ଚଢ଼ାଉରେ ୧୭୦ ବସ୍ତା ସାର ଜବତ ହୋଇଛି।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା କୃଷି ଅଧିକାରୀ ବିଭୁଦତ୍ତ ସାହୁ, ନାଉଗାଁ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ତହସିଲଦାର ଏବଂ ନାଉଗାଁ ଥାନା ଅଧିକାରୀ ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଗାରେଇ ନିକଟରେ ଥିବା ଏକ ଦୋକାନରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ଦୋକାନରୁ ୩୫ ବସ୍ତା ସାର ଜବତ ହୋଇଥିଲା। ଦୋକାନ ମାଲିକ ତାରକ ସାହୁଙ୍କୁ ପଚରାଉଚରା ପରେ ଡାହାଣୀଖିଆ ଗ୍ରାମର ରଂଜିତ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇ ୧୩୫ ବସ୍ତା ସାର ଜବତ କରାଯାଇଛି।
ତଦନ୍ତ ବେଳେ ତାରକ ସାହୁଙ୍କ ପାଖରେ ସାର ବିକ୍ରି କରିବା ପାଇଁ ଆବଶ୍ୟକ ଅନୁମତି ନଥିବା ଜଣାପଡ଼ିଛି। ପୁରୀ ଜିଲ୍ଲାରୁ ସାର ଆଣି ଅନଧିକୃତ ଭାବେ ଗଚ୍ଛିତ ରଖି ଚାଷୀଙ୍କୁ ଚଢ଼ା ଦରରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ଜବତ ସାରକୁ କୃଷି ବିଭାଗ ପକ୍ଷରୁ ନିକଟସ୍ଥ ଡେରିକି ସମବାୟ ସମିତିକୁ ହସ୍ତାନ୍ତର କରାଯାଇଛି। ନକଲି ସାର ଥିବା ସନ୍ଦେହରେ ଜବତ ସାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯିବ ବୋଲି କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର କହିଛନ୍ତି।
ଏନେଇ କୃଷି ବିଭାଗ ପକ୍ଷରୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ।
ତେବେ ନାଉଗାଁ ଅଞ୍ଚଳରେ ଆହୁରି ଅନେକ ସ୍ଥାନରେ ଚୋରାରେ ସାର ଗଚ୍ଛିତ ଥିବା ଅଭିଯୋଗ ହେଉଥିବାରୁ ପ୍ରଶାସନ ଆଗାମୀ ଦିନରେ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।