ତିର୍ତୋଲ, 14/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ସୋନାଲି ପଣ୍ଡା ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନାରେ POCSO ଆଇନ ଅନୁଯାୟୀ ରୁଜୁ ହୋଇଥିବା ଏକ ମାମଲାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଲୁଚାଇ ରଖିବା, ଆଶ୍ରୟ ଦେବା ଏବଂ ପୋଲିସ ଗିରଫଦାରୀ ଏଡ଼ାଇବାରେ ସହଯୋଗ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ୧୨ ଅଗଷ୍ଟ ୨୦୨୬ରେ ଖଦରାପତି ଗ୍ରାମର ଅର୍ଚ୍ଚନା ଦାସଙ୍କ ଲିଖିତ ଅଭିଯୋଗ ଆଧାରରେ ତିର୍ତୋଲ ଥାନାରେ କେସ୍ ନମ୍ବର ୩୭୪/୨୦୨୬ ରୁଜୁ ହୋଇଥିଲା। BNSର ଧାରା ୧୨୬(୨), ୭୪, ୭୫(୨), ୭୬, ୩୫୧(୨), ୩(୫) ସହ POCSO ଆଇନର ଧାରା ୮, ୧୨ ଓ ୧୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ଏହି ମାମଲାରେ ପୋଲିସ କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ତଲପଡ଼ା ଗ୍ରାମର ୨୯ ବର୍ଷୀୟ ମହେନ୍ଦ୍ର ରାଣା ଏବଂ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅଧୀନ ତ୍ରିଲୋଚନପୁର ଗ୍ରାମର ୨୬ ବର୍ଷୀୟ ମାନସ ଓରଫ ଅନନ୍ତ ସାହୁଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରିନ୍ମୟ କୁମାର ସାହୁଙ୍କୁ ଲୁଚାଇ ରଖିବା ଓ ଆଶ୍ରୟ ଦେବା ସହ ପୋଲିସର ଗିରଫଦାରୀରୁ ବଞ୍ଚାଇବାରେ ସହାୟତା କରିବା ଅଭିଯୋଗରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟକୁ ପଠାଯାଇଛି। ମାମଲାର ତଦନ୍ତ ଜାରି ରହିଛି।