ଏରସମା, 16/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ୮୦ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଚାଲିଛି ‘ହର ଘର ତିରଙ୍ଗା’ ଅଭିଯାନ। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତରେ ଶ୍ରୀ ମା’ ନାରୀ ଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ଏକ ନିଆରା ଢଙ୍ଗରେ ଏହି ଅଭିଯାନ ପାଳିତ ହୋଇଛି।
ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ହର ଘର ତିରଙ୍ଗା ଅଭିଯାନରେ ଯୋଗଦେବା ସମ୍ଭବ ହେଉନଥିବା ଅଞ୍ଚଳର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଘରେ ପହଞ୍ଚିଥିଲା ଫାଉଣ୍ଡେସନ୍ର ଟିମ୍।

ସେମାନଙ୍କ ଘରେ ତିରଙ୍ଗା ଉତ୍ତୋଳନ କରିବା ସହିତ, ସେମାନଙ୍କ ମୌଳିକ ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଫାଉଣ୍ଡେସନ୍ର ସଦସ୍ୟମାନେ।
ଶ୍ରୀ ମା’ ନାରୀ ଶକ୍ତି ଫାଉଣ୍ଡେସନ୍ର ଅଧ୍ୟକ୍ଷା ଶ୍ରୀମତୀ ମମତା ସ୍ୱାଇଁ ଏବଂ ଜଗତସିଂହପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ସାମ୍ପାଦିକା ଶ୍ରୀମତୀ ଅନୂଶୟା ଲେଙ୍କାଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ଏହି ଅଭିଯାନ।
ଆଲୋଚନା ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜ ନିଜ ସମସ୍ୟା ଫାଉଣ୍ଡେସନ୍ ସଦସ୍ୟଙ୍କ ନିକଟରେ ପ୍ରକାଶ କରିଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକୁ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି ଶ୍ରୀ ମା’ ନାରୀ ଶକ୍ତି ଫାଉଣ୍ଡେସନ୍।
ସ୍ୱାଧୀନତା ଦିବସରେ କେବଳ ତିରଙ୍ଗା ଉତ୍ତୋଳନ ନୁହେଁ, ସମାଜର ଅବହେଳିତ ଓ ଭିନ୍ନକ୍ଷମ ବର୍ଗଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବାର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।