ପାରାଦ୍ୱୀପ , 16/08/2026, ଉତ୍କଳ voice news - utkalvoicenews.comସ୍ୱାୟତ୍ତ ଶାସନ ଦିବସ-୨୦୨୬ ଉପଲକ୍ଷେ “ସ୍ୱଚ୍ଛତା ହିଁ ସେବା” ଏବଂ “ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ”ର ବାର୍ତ୍ତା ନେଇ ପାରାଦ୍ୱୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଆଲୁମୁନିର ସଦସ୍ୟମାନେ ପାରାଦ୍ୱୀପର ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ନାଗରିକମାନଙ୍କୁ ଅଳିଆ ପୃଥକୀକରଣ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିଥିଲେ। ଓଦା ଓ ଶୁଖିଲା ଅଳିଆକୁ ଅଲଗା କରି ମୁନିସିପାଲିଟିର ଅଳିଆ ସଂଗ୍ରହ ଗାଡ଼ିକୁ ଦେବା, ସାର୍ବଜନୀନ ସ୍ଥାନରେ ଅଳିଆ ନ ପକାଇବା ଏବଂ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।
ଏଥିସହ ପ୍ରତ୍ୟେକ ପରିବାର ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ନିୟମିତ ଯତ୍ନ ନେଇ ବଡ଼ କରିବାକୁ ଆଲୁମୁନି ସଦସ୍ୟମାନେ ଅନୁରୋଧ କରିଥିଲେ। ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ପାରାଦ୍ୱୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି, “ଆମେ ସଚେତନ ହେଲେ ଆମ ଘର, କଲୋନୀ ଓ ସମଗ୍ର ପାରାଦ୍ୱୀପ ସ୍ୱଚ୍ଛ ଓ ସୁସ୍ଥ ହୋଇପାରିବ। ସ୍ୱଚ୍ଛତା କେବଳ ପୌରପାଳିକାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ।”
ସେ ଆହୁରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଅଭିଯାନ, ପାରାଦ୍ୱୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଆହ୍ୱାନ ଏବଂ ଆଲୁମୁନି ଆସୋସିଏସନ୍ର ସମାଜ ଓ ପରିବେଶ ପ୍ରତି ସମର୍ପଣ—ସମସ୍ତଙ୍କ ସହଯୋଗରେ ହିଁ ସାର୍ଥକ ହୋଇପାରିବ।
“ଆମ ପାରାଦ୍ୱୀପ ସ୍ୱଚ୍ଛ ଓ ସୁସ୍ଥ ହେଲେ, ଆମ ଭାରତ ସ୍ୱଚ୍ଛ ଓ ସୁସ୍ଥ ଭାରତ ହୋଇପାରିବ” ବୋଲି ସେ ଆହ୍ୱାନ ଜଣାଇଥିଲେ।