କୁଜଙ୍ଗ / ହସିଣା, 20/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ବନ୍ଧୁତ୍ୱର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ଶ୍ରୀ ବଳଦେବ ଜୀଉ ହାଇସ୍କୁଲ, ହସିଣାର ୨୦୦୦ ମସିହା ବ୍ୟାଚର ବନ୍ଧୁମାନେ। ବିପଦରେ ପଡ଼ିଥିବା ନିଜ ବନ୍ଧୁଙ୍କ ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାଇଛନ୍ତି ଏହି ବ୍ୟାଚର ବନ୍ଧୁମାନେ।

କିଛିଦିନ ତଳେ ୨୦୦୦ ବ୍ୟାଚର ବନ୍ଧୁ ଆରତୀ ତରାଇଙ୍କ ସ୍ୱାମୀ ଶିଶିର ତରାଇ କମ୍ପାନୀରେ ଡ୍ୟୁଟି କରୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ବ୍ୟାଚର ସମସ୍ତ ବନ୍ଧୁ ଏକାଠି ହୋଇ ଆରତୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେବା ସହ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା କରିଥିଲେ।
ସେହିପରି ବ୍ୟାଚର ଅନ୍ୟ ଜଣେ ବନ୍ଧୁ କାବେରୀ ସାହୁଙ୍କ ସ୍ୱାମୀ ରଞ୍ଜନ ସାହୁ ମୁଖ କ୍ୟାନ୍ସରରେ ପୀଡ଼ିତ ଥିବା ଖବର ମିଳିବା ପରେ ପୁଣିଥରେ ଏକାଠି ହୋଇଥିଲେ ୨୦୦୦ ବ୍ୟାଚର ବନ୍ଧୁମାନେ। ଆଲୋଚନା କରି କାବେରୀ ସାହୁଙ୍କ ପରିବାରକୁ ମଧ୍ୟ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ବନ୍ଧୁତ୍ୱ କେବଳ ହସଖୁସିର ସାଥୀ ନୁହେଁ, ବରଂ ବିପଦ ସମୟରେ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ବନ୍ଧୁତ୍ୱ—ଏହି ବାର୍ତ୍ତା ଦେଇଛନ୍ତି ଶ୍ରୀ ଶ୍ରୀ ବଳଦେବ ଜୀଉ ହାଇସ୍କୁଲ, ହସିଣାର ୨୦୦୦ ବ୍ୟାଚର ବନ୍ଧୁମାନେ। ବିପଦରେ ପଡ଼ିଥିବା ପ୍ରତ୍ୟେକ ବନ୍ଧୁଙ୍କ ପାଖରେ ଭବିଷ୍ୟତରେ ମଧ୍ୟ ସମସ୍ତେ ଏକାଠି ହୋଇ ସହଯୋଗର ହାତ ବଢ଼ାଇବା ହିଁ ଏହି ବ୍ୟାଚର ଲକ୍ଷ୍ୟ ବୋଲି କହିଛନ୍ତି ବନ୍ଧୁମାନେ।