ଢେଙ୍କାନାଳ, 26/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ୨୬ ଅଗଷ୍ଟ : ପରିବେଶ ସୁରକ୍ଷା ଏବଂ ସାମାଜିକ ସହଭାଗିତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. (NSS) ସହ-ୟୁନିଟ୍ ପକ୍ଷରୁ କାଇମାଟି ପଞ୍ଚାୟତ ଅନ୍ତର୍ଗତ ପୋଷ୍ୟ ଗ୍ରାମ କାଇଁଶୋଠାରେ ଆଜି ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ଡକ୍ଟର ରବର୍ଟ ୱିଲସନ୍ ଭତ୍ରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ସ୍ୱେଚ୍ଛାସେବୀ,ଗ୍ରାମର ୱାର୍ଡ ମେମ୍ବର, ସଭାପତି,ଓ ସ୍ଥାନୀୟ ବାସିନ୍ଦା ଏବଂ ସତ୍ୟ ସାଇ ସଂଗଠନର ମେମ୍ବର ବୃନ୍ଦ, ସକ୍ରିୟ ଭାବେ ଯୋଗ ଦାନ କରିଥିଲେ । ଅଞ୍ଚଳର ସବୁଜିମା ବୃଦ୍ଧି କରିବା ଏବଂ ଗ୍ରାମାଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକଙ୍କ ଉତ୍ସାହଜନକ ଭାଗିଦାରୀ ଦେଖିବାକୁ ମିଳିଥିଲା।
ଏହି ଅଭିଯାନ କାଳରେ ଗ୍ରାମର ବିଭିନ୍ନ ସାର୍ବଜନୀନ ସ୍ଥାନରେ ମୋଟ ୧୦୦ଟି ଭିନ୍ନ ଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହାବ୍ୟତୀତ, ପ୍ରକୃତି ପ୍ରତି ବ୍ୟକ୍ତିଗତ ଦାୟିତ୍ୱବୋଧକୁ ଉତ୍ସାହିତ କରିବା ପାଇଁ ଏନ୍.ଏସ୍.ଏସ୍. ୟୁନିଟ୍ ପକ୍ଷରୁ ଗ୍ରାମବାସୀଙ୍କ ମଧ୍ୟରେ ନିଜ ଘର ବାଡ଼ି ଓ କୃଷି ଜମିରେ ରୋପଣ କରିବା ପାଇଁ ଆଉ ୧୦୦ଟି ଚାରା ବଣ୍ଟନ କରାଯାଇଥିଲା।