ଏରସମା, 27/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ଏରସମା ଥାନା ପୋଲିସ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ଅଗଷ୍ଟ ୨୬ ତାରିଖ ରାତିରେ ଏଏସ୍ଆଇ ଏସ୍.କେ. ଦଣ୍ଡପାଟ, ଏଏସ୍ଆଇ ପି.କେ. ରାୟଙ୍କ ସମେତ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ଅବୈଧ ଭାବେ ମଦ ରଖିବା, ସଂରକ୍ଷଣ, ପରିବହନ ଓ ବିକ୍ରି କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ମୋଟ ୭୨.୧୫୦ ଲିଟର ଅବୈଧ ବିଦେଶୀ ମଦ ଓ ଦେଶୀ ମଦ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ— ମଲ୍ଲିପୁର ଗ୍ରାମର ମନୋଜ ରାଉତ, କୁଞ୍ଜକୋଠି ଗ୍ରାମର ମନୋଜ କୁମାର ବାରିକ, ମଲ୍ଲିପୁରର ତିଲୋକ ବାରିକ, ଭୁଆଁସାହିର ଯଶୋବନ୍ତ ପରିଡ଼ା, ମିର୍ଜାପୁରର ବିଜୟାନନ୍ଦ ସେଠୀ ଏବଂ ଭିତର ଅନ୍ଧାରୀ ଗ୍ରାମର ବାବାଜୀ ଲେଙ୍କା।
ଏହି ଘଟଣାକୁ ନେଇ ଏରସମା ଥାନାରେ କେସ୍ ନମ୍ବର ୨୭୩, ତାରିଖ ୨୭.୦୮.୨୦୨୬ ରୁଜୁ ହୋଇଛି। ବିଏନ୍ଏସ୍ର ବିଭିନ୍ନ ଧାରା ସହିତ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ଆର୍ଥିକ ଲାଭ ପାଇଁ ପରସ୍ପର ମିଶି ଅବୈଧ ମଦ ଆଣିବା, ଗଚ୍ଛିତ ରଖିବା, ପରିବହନ କରିବା ଓ ବିକ୍ରି କରୁଥିବା ଅଭିଯୋଗ ରହିଛି। ଏଥିସହ ଅବୈଧ ମଦ ଯୋଗାଣକାରୀଙ୍କ ସହ ମଧ୍ୟ ସେମାନଙ୍କ ସମ୍ପର୍କ ଥିବା ନେଇ ତଦନ୍ତରୁ ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ଜବତ ମଦ ରଖିବା କିମ୍ବା ସଂରକ୍ଷଣ କରିବା ପାଇଁ କୌଣସି ବୈଧ ଲାଇସେନ୍ସ, ପରମିଟ୍ କିମ୍ବା ଅନୁମତିପତ୍ର ଦେଖାଇ ପାରିନଥିଲେ। ପରେ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ପଠାଯାଇଛି।
ଏହି ମଦ କାରବାରର ମୁଖ୍ୟ ଉତ୍ସ, ଯୋଗାଣକାରୀ, ପରିବହନ ଓ ବିତରଣ ନେଟୱର୍କ ସହିତ ଆର୍ଥିକ କାରବାର ସମ୍ପର୍କରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।
ତଦନ୍ତକାରୀ ଅଧିକାରୀ: ଏସ୍ଆଇ ଶ୍ରୀକାନ୍ତ ସାହୁ, ଏରସମା ଥାନା।
ଅଭିଯୋଗକାରୀ: ଏଏସ୍ଆଇ ଏସ୍.କେ. ଦଣ୍ଡପାଟ, ଏରସମା ଥାନା।