ପାରାଦୀପ, 28/08/2026, ଉତ୍କଳ voice news - utkalvoicenews.com( ପାରାଦୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ମଝି ସମୁଦ୍ରରେ ବୁଡ଼ିଯାଇଥିବା ପଣ୍ୟବାହୀ ଜାହାଜ **‘ଏମ୍ଭି ଓସେନ୍ ୱିନର୍’**ରୁ ଉଦ୍ଧାର ହୋଇଥିବା ଦୁଇ ଜଣ କ୍ରିଉ ସଦସ୍ୟଙ୍କୁ ଆଜି ପାରାଦୀପ ଅଣାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ଭରଦ’ ଯୋଗେ ଉଭୟ ନାବିକ ପାରାଦୀପରେ ପହଞ୍ଚିଛନ୍ତି।
ତେବେ ଏହି ଦୁର୍ଘଟଣା ପରେ ଏବେ ବି ୨୨ ଜଣ କ୍ରିଉ ସଦସ୍ୟ ନିଖୋଜ ଥିବା ଜଣାପଡ଼ିଛି। ପାରାଦୀପରେ ପହଞ୍ଚିବା ପରେ ଇମିଗ୍ରେସନ ବିଭାଗର ସ୍ୱତନ୍ତ୍ର ଟିମ୍, ପାରାଦୀପ ଅତିରିକ୍ତ ଏସ୍ପି ଆଜିକ୍ୟ ମାଣେ ଏବଂ ସିଆଇଏସ୍ଏଫ୍ ଅଧିକାରୀମାନେ ଜାହାଜରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଥିଲେ।
_1787890819.jpg)
ପରେ ଉଭୟ ଉଦ୍ଧାର ନାବିକଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।
ଇମିଗ୍ରେସନ ଯାଞ୍ଚ ଶେଷ ହେବା ପରେ ଦୁଇ ଜଣଙ୍କୁ ଜାହାଜର ଏଜେଣ୍ଟଙ୍କୁ ହସ୍ତାନ୍ତର କରାଯିବ। ଏହାପରେ ଏଜେନ୍ସି ମାଧ୍ୟମରେ ସେମାନଙ୍କୁ କୋଲକାତା ନିଆଯାଇ ସେଠାରୁ ଚୀନ୍ ଦୂତାବାସ ସହ ଯୋଗାଯୋଗ କରି ପରବର୍ତ୍ତୀ ବ୍ୟବସ୍ଥା କରାଯିବ।
ଅନ୍ୟପକ୍ଷରେ, କେମିତି ଏବଂ କେଉଁ ପରିସ୍ଥିତିରେ ଜାହାଜଟି ବୁଡ଼ିଲା, ତାହାର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ଉଦ୍ଧାର ହୋଇଥିବା ଦୁଇ ନାବିକଙ୍କଠାରୁ ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିବାକୁ ତଦନ୍ତକାରୀମାନେ ଅପେକ୍ଷା କରିଛନ୍ତି।
କିନ୍ତୁ ତଦନ୍ତରେ ବଡ଼ ପ୍ରତିବନ୍ଧକ ସାଜିଛି ଭାଷାଗତ ସମସ୍ୟା। ଉଭୟ ନାବିକ ଚୀନ୍ ନାଗରିକ ହୋଇଥିବାରୁ ସେମାନେ ଇଂରାଜୀ କହିପାରୁନାହାନ୍ତି କିମ୍ବା ବୁଝିପାରୁନାହାନ୍ତି। ଫଳରେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତକାରୀ ଟିମ୍କୁ ଅନୁବାଦକଙ୍କ ସହାୟତା ନେବାକୁ ପଡ଼ିପାରେ।
ଏବେ ସମସ୍ତଙ୍କ ନଜର—୨୨ ନିଖୋଜ କ୍ରିଉ ସଦସ୍ୟଙ୍କ ସନ୍ଧାନ ଏବଂ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଉପରେ।