ଜଗତସିଂହପୁର, 03/09/2026, ଉତ୍କଳ voice news - utkalvoicenews.com( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ସିସିଟିଭି ଫୁଟେଜ୍ ଥାଇ ମଧ୍ୟ ଚୋର ଧରାପଡ଼ିନି, ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ
_1788434502.jpg)
୦୨/୦୯: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଷ୍ଟାଣ୍ଡରୁ ବାଇକ ଚୋରି ଘଟଣାରେ ଜଗତସିଂହପୁର ଟାଉନ ଥାନା ପୁଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଅଭିଯୋଗକାରୀଙ୍କ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚୋରି ଘଟଣାର ସିସିଟିଭି ଫୁଟେଜ୍ ଓ ସନ୍ଦିଗ୍ଧ ଚୋରଙ୍କ ଫଟୋ ପୁଲିସକୁ ଦିଆଯାଇଥିଲେ ମଧ୍ୟ ଦୀର୍ଘଦିନ ପରେ ମାମଲା ରୁଜୁ ହେବା ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୂଳିସିଂହ ଗ୍ରାମର ବିନୋଦ କୁମାର ନନ୍ଦୀ ଗତ ୮ ତାରିଖରେ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେ ନିଜର ହୀରୋ ଏଚ୍ଏଫ୍ ଡିଲକ୍ସ ବାଇକ (ନଂ- OD33AH6762)କୁ ମେଡିକାଲ ସମ୍ମୁଖ ଷ୍ଟାଣ୍ଡରେ ରଖି ଡାକ୍ତରଙ୍କୁ ଦେଖାଇବାକୁ ଯାଇଥିଲେ। ଫେରିବା ପରେ ବାଇକଟି ନଥିବା ଦେଖି ସେ ବହୁ ଖୋଜାଖୋଜି କରିଥିଲେ।
ଏନେଇ ସେହିଦିନ ଜଗତସିଂହପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଅଭିଯୋଗକାରୀ କହିଛନ୍ତି। ଏଥିସହ ମେଡିକାଲ ପରିସରର ସିସିଟିଭି କ୍ୟାମେରାରୁ ଚୋରି ସମ୍ପର୍କିତ ଭିଡିଓ ଫୁଟେଜ୍ ଓ ଚୋରଙ୍କ ଫଟୋ ମଧ୍ୟ ପୁଲିସକୁ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ତେବେ ଅଭିଯୋଗ କରିବାର ପ୍ରାୟ ୧୨ ଦିନ ପରେ, ଗତ ୨୦ ତାରିଖରେ ପୁଲିସ ପୁନର୍ବାର ନୂତନ ଭାବେ ଲିଖିତ ଅଭିଯୋଗ ଦେବାକୁ କହିଥିବା ବିନୋଦ ଅଭିଯୋଗ କରିଛନ୍ତି। ପରେ ୨୦ ତାରିଖରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ଜଗତସିଂହପୁର ପୁଲିସ କେସ୍ ନଂ-୬୦୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ଅଭିଯୋଗକାରୀଙ୍କ କହିବାନୁଯାୟୀ, ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବାରୁ ସେ ଶେଷରେ ଜଗତସିଂହପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ଉଚିତ୍ ନ୍ୟାୟ ଓ ଚୋରି ହୋଇଥିବା ବାଇକ ଉଦ୍ଧାର ପାଇଁ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ଗତ ୧୦ ତାରିଖରେ ମେଡିକାଲ ପରିସରରୁ ଚୋରି ହୋଇଥିବା ବାଲିକୁଦା ଥାନା ଅନ୍ତର୍ଗତ ତିହୁଡ଼ି ଗ୍ରାମର ପ୍ରଦୀପ କୁମାର ଖଟୁଆଙ୍କ ବାଇକ ଚୋରି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ, ବିନୋଦଙ୍କ ବାଇକ ଚୋରି ଘଟଣାରେ ଏପର୍ଯ୍ୟନ୍ତ ଚୋର ଧରାନପଡ଼ିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ମେଡିକାଲ ପରିସରରୁ ବାରମ୍ବାର ଗାଡ଼ି ଚୋରି ହେଉଥିବା ଘଟଣା ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ମେଡିକାଲ ନିକଟରେ ଏସ୍ପିଙ୍କ କାର୍ଯ୍ୟାଳୟ, ଟାଉନ ଥାନା ଏବଂ ମେଡିକାଲ ପରିସରରେ ପୁଲିସ ଫାଣ୍ଡି ଥିବା ସତ୍ତ୍ୱେ ଏଭଳି ଚୋରି ଘଟଣା ଘଟିବା ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ତେବେ ଚୋରି ଘଟଣାରେ ପୁଲିସର ତଦନ୍ତ କେତେ ଦୂର ଆଗେଇଛି ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ କେବେ ଗିରଫ କରାଯିବ, ତାହାକୁ ନେଇ ଏବେ ନଜର ରହିଛି। ଅଭିଯୋଗରେ ଉଠିଥିବା ପୁଲିସର ଅବହେଳା ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।