ଜଗତସିଂହପୁର, 04/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ)
ତାରିଖ: ୦୪/୦୯/୨୦୨୬ ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ଦେଶରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ବିଭିନ୍ନ ମନ୍ଦିର ଓ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଭକ୍ତି ଓ ଉଲ୍ଲାସର ସହ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କର ଆକର୍ଷଣୀୟ ପରିବେଷଣ ଉପସ୍ଥିତ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କୁ ବିମୋହିତ କରିଥିଲା।

ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ପର୍ବ ଜନ୍ମାଷ୍ଟମୀ। ପୁରାଣ ଅନୁଯାୟୀ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଥୁରାରେ ଦେବକୀ ଓ ବାସୁଦେବଙ୍କ ଗୃହରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଅଧର୍ମର ବିନାଶ ଏବଂ ଧର୍ମର ପ୍ରତିଷ୍ଠା ପାଇଁ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ବିଶ୍ୱାସ ରହିଛି।
ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ସ୍ଥାନରେ ଝୁଲଣ ଉତ୍ସବ, କୃଷ୍ଣଙ୍କ ବାଲ୍ୟଲୀଳା, ଭଜନ-କୀର୍ତ୍ତନ ଓ ପୂଜାର୍ଚ୍ଚନାର ଆୟୋଜନ କରାଯାଉଥିବା ବେଳେ, ଶ୍ରଦ୍ଧାଳୁମାନେ ଉପବାସ ରଖି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରିଥାନ୍ତି। ପ୍ରେମ, ଭକ୍ତି, ଧର୍ମ ଓ ନ୍ୟାୟର ବାର୍ତ୍ତା ବହନ କରୁଥିବା ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣାର ଉତ୍ସ। ଜନ୍ମାଷ୍ଟମୀ ଉତ୍ସବ ସମାଜରେ ଭାଇଚାରା, ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ପ୍ରସାର କରୁଛି।