କୁଜଙ୍ଗ, 04/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୁଜଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁମାନେ ଶ୍ରୀକୃଷ୍ଣ, ରାଧା ଓ ବଳରାମଙ୍କ ବେଶଭୂଷାରେ ସଜ୍ଜିତ ହୋଇ କୃଷ୍ଣଲୀଳାର ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲେ। ଦହିହାଣ୍ଡି କାର୍ଯ୍ୟକ୍ରମ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ସମସ୍ତଙ୍କୁ ଆକର୍ଷିତ କରିଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚିତ୍ତରଞ୍ଜନ ବେହେରା, ଶ୍ରୀ ସଞ୍ଜୟ କୁମାର ଦାସ, ଶ୍ରୀ ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ସକ୍ରିୟ ସହଯୋଗ କରିଥିଲେ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଓ ଲେଖିକା ଶ୍ରୀମତୀ ମାନସୀ ପ୍ରଭା ସ୍ୱାଇଁ ଯୋଗଦେଇ ନିଜ କବିତା ପାଠ ମାଧ୍ୟମରେ ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀ ଶରତ କୁମାର ସାମନ୍ତରାୟ ଶ୍ରୀକୃଷ୍ଣଙ୍କ ଜୀବନ, ଆଦର୍ଶ ଓ ଲୀଳା ସମ୍ପର୍କରେ ଶିଶୁମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ପରେ ଶିଶୁମାନେ ଶୋଭାଯାତ୍ରାରେ ବାହାରି କୁଜଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଶ୍ରୀ ରଞ୍ଜିତ ଦାସ ଓ ଶ୍ରୀ ବିପିନ କୁମାର ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସୂଚିତା ଜେନା ଶିଶୁମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।