ଏରସମା, 04/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

୪।୯ (ନି.ପ୍ର) : ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ଅଞ୍ଚଳର ଦୁଇ ବରପୁତ୍ର, ପ୍ରବୀଣ ଶିକ୍ଷାବିତ୍ ତଥା ବୋରିକିନା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଭାସ୍କର ମହାନ୍ତି ଓ ବିଶିଷ୍ଟ ହନୁମାନ ସାଧକ ତଥା ପ୍ରବଚକ ବିଷ୍ଣୁ ଚରଣ ମହାନ୍ତି ଦ୍ୱୟଙ୍କର ସ୍ମୃତିରେ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ପ୍ରତିଭା ସମ୍ମାନ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷିରେ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ବିଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଭା ସମ୍ମାନର ପ୍ରତିଷ୍ଠାତା ମୁମ୍ବାଇ ରେ କାର୍ଯ୍ୟରତ ବିଶିଷ୍ଟ ବୈଜ୍ଞାନିକ ଡ଼. ରଶ୍ମି ରଞ୍ଜନ ମହାନ୍ତି ଉପସ୍ଥିତ ରହି ଏହି ଦୁଇ ବରପୁତ୍ରଙ୍କ ତ୍ୟାଗପୂତ ଜୀବନୀ ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ଲବ୍ଧ ପ୍ରତିଷ୍ଠିତ ବୋରିକିନା ଉଚ୍ଚ ବିଦ୍ୟାଳୟ ଧନ୍ୟ ହେବା ସହିତ ବିଶିଷ୍ଟ ଆଧ୍ୟାତ୍ମ୍ୟବାଦୀ ବିଷ୍ଣୁ ଚରଣ ମହାନ୍ତିଙ୍କ ଆଧ୍ୟାତ୍ମିକ ଦିଗ୍ ଦର୍ଶନ ସବୁଦିନ ପାଇଁ ଏ ଅଞ୍ଚଳବାସୀ ମନେ ରଖିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ତିତିରା ହାଇସ୍କୁଲ୍ ର ପୂର୍ବତନ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ସୁକାନ୍ତି ଦାଶ ଯୋଗଦେଇ ଗ୍ରାମାଞ୍ଚଳର ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ମନ ମାନଙ୍କର ସୁପ୍ତ ପ୍ରତିଭାର ବିକାଶ ହୋଇ ପାରିଲେ ସେମାନେ ସମାଜର ଅନେକ ପ୍ରମୁଖ କାର୍ଯ୍ୟରେ ଭାଗୀଦାର ହୋଇ ପାରିବେ ବୋଲି କହିଥିଲେ । ଏଥିରେ ପ୍ରତୀକ୍ଷା ବାରିକ, ଜ୍ୟୋତିର୍ମୟୀ ସାହୁ, ରଶ୍ମି ପ୍ରିୟା ସେନାପତି, ଆଦିତ୍ୟ ନାରାୟଣ ରଥ, ଅଙ୍କିତା ଦାସ, ପ୍ରତୀକ ପ୍ରଜ୍ଞାଶୁ ଛାଟୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ, ଅନୁରୂପ ଭାବରେ ସୁନାମଧନ୍ୟ ଚିକିତ୍ସକ ପ୍ରଫେସର ଡ଼ ନିରଞ୍ଜନ ମହାନ୍ତିଙ୍କ ତରଫରୁ ମେଧାବୃତ୍ତି ସମ୍ମାନ, ଡ଼ ନମିତା ମହାନ୍ତି ସମ୍ମାନ, କ୍ଷେତ୍ରମଣି ସମ୍ମାନ, ଆର୍ଯ୍ୟ ମହାନ୍ତି ସମ୍ମାନ, ଗାୟତ୍ରୀ ମହାନ୍ତି ସମ୍ମାନ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ।