ଢେଙ୍କାନାଳ, 06/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା - ୫/୯ : ଢେଙ୍କାନାଳସ୍ଥିତ ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଫଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଗୁରୁପୂଜା ଓ ଗୁରୁବନ୍ଦନା ଗାନ କରି ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।
ଏହି ଅବସରରେ ଫଚସଖା ଶିକ୍ଷାସେତୁର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କୃସିଦା ବେଗମ୍ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା କରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରି ନିଜ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।
ସହକାରୀ ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗୁରୁଦିବସ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।