ଏରସମା, 06/09/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ଏରସମା ବିପ୍ଳବ ଦିବସରେ ଜଳିଲା ସଂଗ୍ରାମର ମଶାଲ।
ଐତିହାସିକ ଥାନା ପୋଡ଼ି ଘଟଣାକୁ ସ୍ମରଣ କରି ଶତାଧିକ ଲୋକଙ୍କ ବିଶାଳ ମଶାଲ ଯାତ୍ରା
ଏରସମା:ଏ ମାଟି କେବଳ ମାଟି ନୁହେଁ… ଏ ମାଟିର ପ୍ରତିଟି କଣିକାରେ ଲେଖା ରହିଛି ସଂଗ୍ରାମର ଇତିହାସ, ତ୍ୟାଗର ଗାଥା ଓ ବିପ୍ଳବର ସ୍ମୃତି।

ଐତିହାସିକ ଏରସମା ଥାନା ପୋଡ଼ି ଘଟଣାକୁ ସ୍ମରଣ କରି ପାଳିତ ହୋଇଛି ଏରସମା ବିପ୍ଳବ ଦିବସ।ଏହି ଅବସରରେ ଏରସମା ନାଗରିକ ସୁରକ୍ଷା ମଞ୍ଚ ଓ ସଂକଳ୍ପ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ ମଶାଲ ଯାତ୍ରା।ହାତରେ ଜଳନ୍ତା ମଶାଲ… ମନରେ ବିପ୍ଳବୀଙ୍କ ସ୍ମୃତି… ଆଉ ମୁହଁରେ ସଂଗ୍ରାମର ସ୍ଲୋଗାନ।ଶତାଧିକ ଲୋକଙ୍କ ଉପସ୍ଥିତିରେ ଏରସମାର ରାସ୍ତା ପାଲଟି ଯାଇଥିଲା ଏକ ବିପ୍ଳବୀ ଚେତନାର ପଥରେ।ଏରସମା ଜଗନ୍ନାଥ ମନ୍ଦିରରୁ ବାହାରିଥିଲା ଏହି ବିଶାଳ ମଶାଲ ଯାତ୍ରା।
ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଯାତ୍ରା ପହଞ୍ଚିଥିଲା ସଂଗ୍ରାମୀ ଭବନ ଗାନ୍ଧୀ ପୀଠରେ।ଯାତ୍ରାରେ ସାମିଲ ହୋଇଥିଲେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନାଗରିକ।ମଶାଲର ଆଲୋକରେ ମନେ ପଡ଼ିଥିଲା ଏରସମା ମାଟିର ସେହି ସଂଗ୍ରାମମୟ ଦିନ… ଯେଉଁ ଦିନ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଜନତା ଏକାଠି ହୋଇ ରଚିଥିଲେ ଇତିହାସ।ଆୟୋଜକମାନେ କହିଛନ୍ତି, ଏରସମାର ଏହି ବିପ୍ଳବୀ ଇତିହାସ କେବଳ ଅତୀତର ଏକ ଘଟଣା ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ସାହସ, ତ୍ୟାଗ ଓ ସଂଗ୍ରାମର ଏକ ପ୍ରେରଣା।
ଇତିହାସକୁ ଭୁଲିଗଲେ ଇତିହାସ ହୋଇଯାଏ କେବଳ ଏକ ତାରିଖ।କିନ୍ତୁ ଇତିହାସକୁ ମନେ ରଖିଲେ, ତାହା ହୋଇଯାଏ ପ୍ରେରଣା।ସେହି ପ୍ରେରଣାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଏବଂ ଏରସମାର ଐତିହାସିକ ବିପ୍ଳବର ସ୍ମୃତିକୁ ଜୀବନ୍ତ ରଖିବା ହିଁ ଏହି ମଶାଲ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକମାନେ।ମଶାଲ ଜଳିଛି… ସ୍ମୃତି ଜାଗିଛି…
ଏରସମା ମାଟି ପୁଣି ମନେ ପକାଇଛି ନିଜର ସେହି ବିପ୍ଳବୀ ଇତିହାସକୁ।