ଢେଙ୍କାନାଳ, 08/09/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ ) :
ତା–୦୭/୦୯/୨୦୨୬ : ଅଭିନୟ ଫାଉଣ୍ଡେସନ୍, ଢେଙ୍କାନାଳ ପକ୍ଷରୁ ଆୟୋଜିତ ଦ୍ୱିତୀୟ ‘ନବଗୁଞ୍ଜର’ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ–୨୦୨୬ ଢେଙ୍କାନାଳସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରରେ ଭବ୍ୟ ଓ ଉତ୍ସବମୁଖର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥ ପରମ୍ପରାର ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହ କୁନି କୁନି ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ମହୋତ୍ସବରେ ମଧ୍ୟପ୍ରଦେଶ ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ରାଉରକେଲା, ଅନୁଗୁଳ, ତାଳଚେର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳରୁ ଶତାଧିକ କଳାକାର ଓ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ‘ନବଗୁଞ୍ଜର ପ୍ରତିଭା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା।
ସନ୍ଧ୍ୟା ଅଧିବେଶନରେ ଗୁରୁ ଜମିନୀ ରଞ୍ଜନ ଦାସଙ୍କ ହିନ୍ଦୁସ୍ତାନୀ ଭୋକାଲ୍ ପରିବେଷଣ, ଆଲୋକ ରଞ୍ଜନ ଦାସ ଓ ସହଯୋଗୀ କଳାକାରଙ୍କ ଫ୍ୟୁଜନ୍ ସଙ୍ଗୀତ, କୁମାର ଟୁବୁଲା ଓ ଶ୍ରୀତନୟା ଜେନାଙ୍କ ଓଡ଼ିଶୀ ଯୁଗଳ ନୃତ୍ୟ, ରାଧେଶ୍ୟାମ ତରେଇଙ୍କ କୁଚିପୁଡ଼ି ନୃତ୍ୟ ଏବଂ ଅଭିନୟ ଫାଉଣ୍ଡେସନ୍ର ଛାତ୍ରଛାତ୍ରୀଙ୍କ ମାହାରୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଅର୍ଚ୍ଚନା ପୁହାଣ, ପ୍ରକାଶ ଚନ୍ଦ୍ର କୁଅଁର, ଶତ୍ରୁଘ୍ନ ମାଟି, ପଲି ସରକାର ଓ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ‘ଅଭିନୟ ଗୁରୁଶ୍ରୀ ଆୱାର୍ଡ–୨୦୨୬’ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କୁ, ‘ନବଗୁଞ୍ଜର ନୃତ୍ୟ ପ୍ରେରଣା ଆୱାର୍ଡ–୨୦୨୬’ ମୀନାକ୍ଷୀ ରାଣୀ ଜେନାଙ୍କୁ ଏବଂ ‘ଅଭିନୟ ସୋସିଆଲ୍ ଏକ୍ସେଲେନ୍ସ ଆୱାର୍ଡ–୨୦୨୬’ ଢେଙ୍କାନାଳର ବଜରଙ୍ଗ କ୍ଲବ୍କୁ ପ୍ରଦାନ କରାଯାଇଥିଲା।
ଅଭିନୟ ଫାଉଣ୍ଡେସନ୍ର ସଭାପତି ସୁଚିସ୍ମିତା ମାନ୍ନା ଓ ସମ୍ପାଦିକା ରଶ୍ମିତା ପଟେଲ କହିଛନ୍ତି ଯେ, ଢେଙ୍କାନାଳ ମାଟିରୁ ନୂଆ କଳାକାର ସୃଷ୍ଟି କରିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥ ପରମ୍ପରାକୁ ଦେଶ-ବିଦେଶରେ ପହଞ୍ଚାଇବା ସଂସ୍ଥାର ପ୍ରମୁଖ ଲକ୍ଷ୍ୟ।
କାର୍ଯ୍ୟକ୍ରମର ମଞ୍ଚ ସମନ୍ୱୟ ଚନ୍ଦନ କୁମାର ନାୟକ କରିଥିବା ବେଳେ ଅଭିନୟ ଫାଉଣ୍ଡେସନ୍ର ସଦସ୍ୟ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଫାଉଣ୍ଡେସନ୍ର ନିର୍ଦ୍ଦେଶକ ଓ ମୁଖ୍ୟ ସମନ୍ୱୟକ ଆଲୋକ ରଞ୍ଜନ ଦାସ ସମସ୍ତ ଅତିଥି, କଳାକାର, ଛାତ୍ରଛାତ୍ରୀ, ଅଭିଭାବକ, ସହଯୋଗୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି।