ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗକୁ ଏନ୍ଏସି ମାନ୍ୟତା ଦାବିରେ ସାତ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ

କୁଜଙ୍ଗ , 08/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ସୁମିତ୍ରା ସେନାପତି ଙ୍କ ରିପୋର୍ଟ ) :
Article Image
ତା - ୮/୯ : ଜଗତସିଂହପୁର ଜିଲ୍ଲାର ଐତିହାସିକ ଓ ବ୍ୟବସାୟିକ ଅଞ୍ଚଳ କୁଜଙ୍ଗକୁ ତୁରନ୍ତ ଏନ୍ଏସି (ନଗର ପରିଷଦ) ଘୋଷଣା କରିବାକୁ ଦାବି ଜୋର ଧରିଛି। ଏହି ଦାବିକୁ ନେଇ ମଙ୍ଗଳବାର କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସାତ ଦିନିଆ ଦସ୍ତଖତ ଅଭିଯାନ ଶିବିରର ଉଦଘାଟନ କରାଯାଇଛି। ମଞ୍ଚ ପକ୍ଷରୁ ସରକାର ଶୀଘ୍ର ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରାଯାଇଛି।
Article Image
ମଞ୍ଚ ଆବାହକ ଡ଼. ରଘୁନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀ ଉଦଘାଟନ କରିଥିଲେ। ମଞ୍ଚର ବରିଷ୍ଠ ଉପଦେଷ୍ଟା ପୀତାମ୍ବର ତରାଇ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରି କହିଥିଲେ ଯେ, କୁଜଙ୍ଗ ଏକ ଐତିହାସିକ ଓ ବ୍ୟବସାୟିକ କେନ୍ଦ୍ର। ଏଠାରେ ଶିଳ୍ପାଞ୍ଚଳ ସହ ଶତାଧିକ ସରକାରୀ ଓ ବେସରକାରୀ ଅନୁଷ୍ଠାନ କାର୍ଯ୍ୟ କରୁଥିବା ସତ୍ତ୍ୱେ କୁଜଙ୍ଗକୁ ଏପର୍ଯ୍ୟନ୍ତ ଏନ୍ଏସି ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ।
Article Image
ସେ ଆହୁରି କହିଥିଲେ ଯେ, ପୂର୍ବରୁ ତତ୍କାଳୀନ ବିଜେଡି ସରକାର ସମୟରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଇଥିଲେ ମଧ୍ୟ ନୂତନ ସରକାର ଗଠନ ପରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଏନ୍ଏସି ମାନ୍ୟତା ଦିଆଯାଇଥିବା ବେଳେ କୁଜଙ୍ଗକୁ ବାଦ ଦିଆଯାଇଛି। ଏହାକୁ ନେଇ କୁଜଙ୍ଗବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
Article Image
ସରକାର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କୁଜଙ୍ଗକୁ ଏନ୍ଏସି ମାନ୍ୟତା ନଦେଲେ କୁଜଙ୍ଗ ବନ୍ଦ ସମେତ ଅର୍ଥନୈତିକ ଅବରୋଧ ଭଳି କଠୋର ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
Article Image
ସଭାରେ କୁଜଙ୍ଗ ଓକିଲ ସଂଘର ସମ୍ପାଦକ ରଞ୍ଜିତ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ରମେଶ ଦାସ, ଶିକ୍ଷାବିତ ସରୋଜ କୁମାର ବେହେରା, ପ୍ରିୟମ୍ବଦା ପାଣି, ଦିଲୀପ କୁମାର ସାହୁ, ରଜନୀକାନ୍ତ ଗୁରୁ, ବିଶ୍ୱନାଥ ମଲ୍ଲିକ, ବିକ୍ରମ ନାରାୟଣ ଦାସ, ବୁନୁ ବାରିକ, ଡ଼. ଗଙ୍ଗାଧର ସାମନ୍ତରାୟ, ବିଜୟ ଖଟେଇ, ଗୀତା ଦାସ, ନବୀନ ପ୍ରଧାନ, ବିଭୂତି ଜେନା, ହୃଷିକେଶ ନାଥ, ଚନ୍ଦ୍ରମଣି ସ୍ୱାଇଁ, ବିବେକାନନ୍ଦ ଦାସ ଓ ଶରତ ଜେନା ପ୍ରମୁଖ ମତ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କୁଜଙ୍ଗ ସଚେତନ ନାଗରିକ ମଞ୍ଚ କୁଜଙ୍ଗ ବନ୍ଦ ଡାକରା ଦେଇଥିଲା। ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପ ସର୍କିଟ୍ ହାଉସରେ ମଞ୍ଚର ପ୍ରତିନିଧିମାନଙ୍କ ସହ ଆଲୋଚନା କରି କୁଜଙ୍ଗକୁ ଏନ୍ଏସି ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ମାତ୍ର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣିଥରେ ଆନ୍ଦୋଳନ ଜୋର ଧରିଛି। ଆଜି ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ପ୍ରାୟ ୧୦ ହଜାର ଲୋକଙ୍କ ସ୍ୱାକ୍ଷର ସଂଗ୍ରହ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
31