ତିର୍ତ୍ତୋଲ, 09/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ଅନ୍ତର୍ଗତ ଗଇଠୀପୁର ଗ୍ରାମର ଗ୍ରାମଦେବତୀ ମା' ଗର୍ଭାୟଣୀଙ୍କ ମନ୍ଦିରକୁ ନେଇ ଦେଖାଦେଇଥିଲା ବିବାଦ। ପୂଜାପାଠ ଓ ଛୁଆଁ-ଅଛୁଆଁକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ଗ୍ରାମରେ ଉତ୍ତେଜନାର ଆଶଙ୍କା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପ୍ରଶାସନ।

ଗଇଠୀପୁର ଗ୍ରାମର ଆରାଧ୍ୟ ଦେବୀ ମା' ଗର୍ଭାୟଣୀ। ମା'ଙ୍କ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ପରିସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଥିଲା।ଘଟଣାର ଖବର ପାଇ ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଏସ୍ଡିପିଓ, କୃଷ୍ଣାନନ୍ଦପୁର ଥାନା ଆଇଆଇସିଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।ମନ୍ଦିର ପରିସରରେ ଉଭୟ ପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା।
ପ୍ରତ୍ୟେକ ପକ୍ଷର ମତାମତ ଶୁଣିବା ସହ ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ କିପରି ବଜାୟ ରହିବ, ସେନେଇ ଗୁରୁତ୍ୱ ଦିଆଯାଇଥିଲା।ଏସ୍ଡିପିଓଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ପ୍ରଶାସନ ପକ୍ଷରୁ ଉଭୟ ପକ୍ଷଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆଇନକୁ ହାତକୁ ନନେବା ପାଇଁ ପରାମର୍ଶ ଦିଆଯାଇଥିଲା।ଗ୍ରାମର ଧାର୍ମିକ ପରମ୍ପରା ଓ ମା' ଗର୍ଭାୟଣୀଙ୍କ ପୂଜା ଯେପରି ଶାନ୍ତି ଓ ଭାଇଚାରାର ପରିବେଶରେ ହୋଇପାରିବ, ସେଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା।
ବିବାଦ ମଧ୍ୟରେ ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଓ ତିର୍ତ୍ତୋଲ ଏସ୍ଡିପିଓଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ମା' ଗର୍ଭାୟଣୀଙ୍କ ପୂଜା ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ହେବ ବୋଲି ଆଶା କରାଯାଉଛି।