ରାହାମା, 09/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - ୯/୯: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତର ରାହାମାସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଦୁଇଦିନିଆ ସଂକୁଳସ୍ତରୀୟ ‘ଆର୍ଟ ଇନ୍ ଏଜୁକେସନ୍’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ସେପ୍ଟେମ୍ବର ୭ ଓ ୮ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସଂକୁଳ ଅଧୀନ ୧୬ଟି ଜିଲ୍ଲାର ନବୋଦୟ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ସଙ୍ଗୀତ, ବାଦ୍ୟ, ଦୃଶ୍ୟକଳା ଓ ଗଳ୍ପ କଥନ ଭଳି ବିଭିନ୍ନ ବିଭାଗରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ବାଲିକୁଦା ତହସିଲଦାର ବିକାଶ ରଞ୍ଜନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଦିଲ୍ଲୀ ପବ୍ଲିକ ସ୍କୁଲ, ପାରାଦୀପର ଅଧ୍ୟକ୍ଷ ଯଜ୍ଞେଶ୍ୱର ବୋରା, କେନ୍ଦ୍ରୀୟ ବିଦ୍ୟାଳୟ, ପାରାଦୀପର ଅଧ୍ୟକ୍ଷ ପଙ୍କଜ ବର୍ଷେଣିଆ ଏବଂ ସମାଜସେବୀ ଡ. ସୁନାକର ବେହେରା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ଘ୍ୟ ପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ ବିଭାଗର ପ୍ରତିଯୋଗିତାକୁ ବିଚାରକମାନେ ମୂଲ୍ୟାଙ୍କନ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ‘ନବ କାକଳୀ’ ପତ୍ରିକାର ସମ୍ପାଦକ ସୁରେନ୍ଦ୍ରନାଥ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସନ୍ଧ୍ୟାରେ ଆୟୋଜିତ କବି ସମ୍ମିଳନୀରେ ଛାତ୍ରୀ ଶ୍ରୀୟା ଦାସଙ୍କ ସମେତ କବିମାନେ କବିତା ପାଠ କରିଥିଲେ।
ବିଦ୍ୟାଳୟର ଉପାଧ୍ୟକ୍ଷ ଜୟନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।