ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର–୨୦୨୬

ଢେଙ୍କାନାଳ, 11/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ତାରିଖ: ୧୧/୦୯/୨୦୨୬ ( ଶ୍ରୀମାନ୍ ମିଶ୍ର ପ୍ରଥମ, ଆରାଧ୍ୟା ନାୟକ ଦ୍ୱିତୀୟ ଓ ଅନୁପ୍ରିୟା ବେହେରା ତୃତୀୟ ) ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର–୨୦୨୬ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସେମିନାରର ବିଷୟ ଥିଲା “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ”। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସେମିନାରର ଶୁଭାରମ୍ଭ ହୋଇଥିଲା। ଉଦ୍‌ଘାଟନୀ ସ୍ୱାଗତ ଭାଷଣରେ ଏମ୍. ଏମ୍. ରାଉତ ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା, ଅକ୍ଷୟ ଶକ୍ତିର ବ୍ୟବହାର, ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ। ଏଥିସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମିନାରର ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ବ୍ଲକ୍‌ସ୍ତରରେ ବିଜୟୀ ହୋଇଥିବା ୧୬ ଜଣ ପ୍ରତିଯୋଗୀ ସେମିନାରରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ନିର୍ଦ୍ଧାରିତ ବିଷୟ ଉପରେ ପିପିଟି ପ୍ରଦର୍ଶନ ମାଧ୍ୟମରେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେ। ବିଚାରକ ଭାବେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ, ଢେଙ୍କାନାଳର ଜିଲ୍ଲା ଏକାଡେମିକ୍ ସଂଯୋଜକ ତଥା ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେ। ପ୍ରତିଯୋଗିତାରେ ପଞ୍ଚାୟତରାଜ ହାଇସ୍କୁଲ, କାନପୁରାର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଙ୍କରାନ୍ତିପୁରର ଆରାଧ୍ୟା ନାୟକ ଦ୍ୱିତୀୟ ସ୍ଥାନ ଏବଂ ବେଡ଼ାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅନୁପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଏବଂ ଡ଼ା. ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରତିଯୋଗୀମାନଙ୍କୁ ଆଦର୍ଶ ବିଜ୍ଞାନ ସେମିନାରରେ ଉପସ୍ଥାପନା କରିବାର ବିଭିନ୍ନ ଦିଗ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପରେ ବିଜେତାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପଞ୍ଚାୟତରାଜ ହାଇସ୍କୁଲ, କାନପୁରା, କାମାକ୍ଷାନଗରର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶେଷରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ସଂଯୋଜନାରେ ସହଯୋଗ କରିଥିଲେ।
14