ବାଲିତୁଠ, 11/09/2026, ଉତ୍କଳ voice news - utkalvoicenews.comତା - ୧୧/୯ (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ):

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଶିଆଳି ବେଳାଭୂମିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଶୁକ୍ରବାର ବିଜୁ ଜନତା ଦଳର ଏକ ଜିଲ୍ଲାସ୍ତରୀୟ ତଥ୍ୟ ଅନୁଧ୍ୟାନ କମିଟି ଶିଆଳି ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ୯ ଜଣିଆ ଟିମ୍ ଶିଆଳିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା। ଟିମ୍ରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ଶର୍ଖେଲ, ମୀନତି ବେହେରା, ଲୋରା ମହାପାତ୍ର ଓ ନାରାୟଣ ଜେନା ପ୍ରମୁଖ ରହିଥିଲେ।
ଏହି ଅବସରରେ ବିଜେଡି ନେତାମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନିନ୍ଦା କରିବା ସହ ଏହାକୁ ଏକ ହୀନ ମାନସିକତା ଓ ଅମାନବୀୟ କାର୍ଯ୍ୟ ବୋଲି କହିଥିଲେ। ଘଟଣା ପଛରେ ରାଜନୈତିକ ଅଭିସନ୍ଧି ଥିବା ଅଭିଯୋଗ କରିବା ସହ ୨୪ ଘଣ୍ଟା ପରେ ମଧ୍ୟ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଇନଥିବା ନେଇ ପ୍ରଶାସନକୁ ଚେତାବନୀ ଦେଇଥିଲେ।
ଶିଆଳିରେ ପୂର୍ବରୁ ଡା. ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପରେ ପୁଣି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ମଧ୍ୟ ଟିମ୍ ଉଦ୍ବେଗ ପ୍ରକାଶ କରିଥିଲା। ଘଟଣାର ତୁରନ୍ତ ପର୍ଦ୍ଦାଫାସ ନହେଲେ ଆଗାମୀ ଦିନରେ ବିଜେଡି ବ୍ୟାପକ ଜନଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା।
ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବା ପରେ ଅନୁଧ୍ୟାନରୁ ମିଳିଥିବା ସବିଶେଷ ତଥ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି। ଟିମ୍ ସହ ଏରସମା ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ବାଲିକୁଦା ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।