କୁଜଙ୍ଗ , ପଥୁରିଆ , 13/09/2026, ଉତ୍କଳ voice news - utkalvoicenews.com(କୁଜଙ୍ଗରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ) :

ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଜାତୀୟ ବରିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାର ଶାନ୍ତିପ୍ରିୟା ସାମଲ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ୱାକୋ କିକ୍ ବକ୍ସିଂ ଫେଡେରେସନ୍ ପକ୍ଷରୁ ଆୟୋଜିତ ଏହି ଜାତୀୟ ପ୍ରତିଯୋଗିତା ସେପ୍ଟେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ୯୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ୱାକୋ ଓଡ଼ିଶାର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଏବଂ ଜାତୀୟ କୋଚ୍ ଅମରଜ୍ୟୋତି ରାଉତଙ୍କ ନେତୃତ୍ୱରେ ଓଡ଼ିଶାର ଖେଳାଳିମାନେ ଏହି ପ୍ରତିଯୋଗିତାରେ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ୫୦ କିଲୋଗ୍ରାମ୍ ବର୍ଗର ଫାଇଟ୍ରେ ଅଂଶଗ୍ରହଣ କରିଥିବା ଶାନ୍ତିପ୍ରିୟା ସାମଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ଏସିଆନ୍ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲକ୍ଷ୍ୟରେ ସେ ନିୟମିତ ପ୍ରସ୍ତୁତି ଜାରି ରଖିଛନ୍ତି। ଶାନ୍ତିପ୍ରିୟା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଥୁରିଆ ଗ୍ରାମର ଅନ୍ତର୍ଯ୍ୟାମୀ ସାମଲ ଓ ଶର୍ମିଷ୍ଠା ସାମଲଙ୍କ କନ୍ୟା ତାଙ୍କର ଏହି ସଫଳତା ପାଇଁ ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅଗପାଳ ଗ୍ରାମର ସରପଞ୍ଚ ବିପିନ କୁମାର ବିଶ୍ୱାଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି, ଜଗତସିଂହପୁର ଜିଲ୍ଲା କିକ୍ ବକ୍ସିଂ ସଂଘର ଉପସଭାପତି ଗଗନ ବିହାରୀ ରାଉତ ଏବଂ ଆଇନ ପରାମର୍ଶଦାତା ସଞ୍ଜୟ କୁମାର ବେହେରା ଖେଳାଳିମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ।