ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୯୬ ବର୍ଷ ଧରି ଭୂ-ବନ୍ଦୋବସ୍ତ ଦାବି : ‘ରାଜଧାନୀ ଚାଲ’ ଅଭିଯାନ ନେଇ ବୈଠକ

କୁଜଙ୍ଗ, 13/09/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ , କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ୪ ନମ୍ବର ଜୋନ୍‌ର ୬ଟି ପଞ୍ଚାୟତର ୯ଟି ରାଜସ୍ୱ ଗ୍ରାମରେ ଦୀର୍ଘବର୍ଷ ଧରି ଭୂ-ବନ୍ଦୋବସ୍ତ ହୋଇନଥିବା ଅଭିଯୋଗ ହୋଇଛି। ୧୯୩୦ ମସିହା ପରଠାରୁ ଏହି ଅଞ୍ଚଳରେ ଭୂ-ବନ୍ଦୋବସ୍ତ ନ ହୋଇଥିବାରୁ ଜମି ମାଲିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବନ୍ଦୋବସ୍ତ କମିଟି ପକ୍ଷରୁ କୁହାଯାଇଛି। ଜମିର ବନ୍ଦୋବସ୍ତ ହୋଇନଥିବାରୁ ପିଲାମାନଙ୍କ ବିଭିନ୍ନ ସାର୍ଟିଫିକେଟ ପାଇବାରେ ସମସ୍ୟା ହେଉଥିବା ବେଳେ ବିବାହ, ଚିକିତ୍ସା ଭଳି ଜରୁରୀ ଆବଶ୍ୟକତା ସମୟରେ ଜମି ବିକ୍ରି କରିବା ମଧ୍ୟ ସମ୍ଭବ ହେଉନାହିଁ। ଫଳରେ ୯ଟି ରାଜସ୍ୱ ଗ୍ରାମର ଜମି ମାଲିକମାନେ ଦୀର୍ଘଦିନ ଧରି ନାନା ସମସ୍ୟା ଭୋଗୁଛନ୍ତି।
Article Image
ଏନେଇ ତହସିଲଦାର, ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଫଳ ମିଳିନଥିବା କମିଟି ପକ୍ଷରୁ କୁହାଯାଇଛି।
Article Image
ସରକାର ପରିବର୍ତ୍ତନ ପରେ ସ୍ଥାନୀୟ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ମାଧ୍ୟମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଭେଟି କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟଜନିତ କାର୍ଯ୍ୟରେ ମନ୍ତ୍ରୀ ବ୍ୟସ୍ତ ଥିବାରୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନଥିବା କୁହାଯାଇଛି।
Article Image
ଏହି ପରିପ୍ରେକ୍ଷୀରେ ଆଗାମୀ ସପ୍ତାହରେ କମିଟିର କର୍ମକର୍ତ୍ତାମାନେ ଭୁବନେଶ୍ୱର ଯାଇ ଶିଳ୍ପମନ୍ତ୍ରୀଙ୍କ ସହଯୋଗରେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୂ-ବନ୍ଦୋବସ୍ତ ଦାବି ଉପସ୍ଥାପନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ଏନେଇ ଅନୁଷ୍ଠିତ ସାଧାରଣ ସଭାରେ ସଂଗଠନର ସଭାପତି ଶ୍ରୀ କେଶବ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଅନନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ। ଦେବେନ୍ଦ୍ର ମହାନ୍ତି ଦୀର୍ଘବର୍ଷ ଧରି ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା ଓ ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ ଯୋଗଦେଇ ଭୂ-ବନ୍ଦୋବସ୍ତ ନ ହେବା ଯୋଗୁଁ ୯ଟି ରାଜସ୍ୱ ଗ୍ରାମର ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ମତ ରଖିଥିଲେ। ବୈଠକରେ ବିଜୟ କୁମାର ମଲ୍ଲିକ, ପ୍ରଶାନ୍ତ ଚୌଧୁରୀ, ପ୍ରସନ୍ନ ରାଉତରାୟ, ନିମାଇଁ ମହାପାତ୍ର, ନିରଞ୍ଜନ ସ୍ୱାଇଁ, ନୃସିଂହ ଚରଣ ଓଝା, ପିତାମ୍ବର ବେହେରା, ନରୀ ସାମନ୍ତରାୟ ଓ ଚନ୍ଦ୍ରଶେଖର ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ଶେଷରେ କାର୍ଯ୍ୟକାରୀ କମିଟି ସଭାପତି ଶ୍ରୀ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
11