ଜଗତସିଂହପୁର, 15/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
ଜଗତସିଂହପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ‘ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ସୁଶାସନ ବ୍ୟବସ୍ଥାର ୨୫ ବର୍ଷ ପୂର୍ତ୍ତି ଅବସରରେ ‘ସେବା ସଂକଳ୍ପ’ ଅଭିଯାନ ଆୟୋଜନ କରାଯିବ। ଆସନ୍ତା ୧୭ ତାରିଖରୁ ଏକ ମାସ ବ୍ୟାପୀ ଏହି ଅଭିଯାନ ପାଳନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯାନର ପ୍ରଥମ ଦିନ ଅର୍ଥାତ୍ ୧୭ ତାରିଖରେ ଘରେ ଘରେ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯିବ। ଏହାସହ ଏକ ମାସ ମଧ୍ୟରେ ବିଦ୍ୟାଳୟସ୍ତରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ରକ୍ତଦାନ ଶିବିର, ବୃକ୍ଷରୋପଣ, ସାମୂହିକ ଆଲୋଚନା ଏବଂ ସାର୍ବଜନୀନ ସ୍ଥାନରେ ରଙ୍ଗୋଲି ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।