ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହିଳା ସାମ୍ବାଦିକା ଆକ୍ରମଣ ମାମଲା : ୯ ମାସ ପରେ ଅଭିଯୁକ୍ତ ଗିରଫ

ତିର୍ତ୍ତୋଲ, 16/09/2026, ଉତ୍କଳ voice news - utkalvoicenews.com(ତିର୍ତ୍ତୋଲରୁ ସୋନାଲି ପଣ୍ଡାଙ୍କ ରିପୋର୍ଟ) : ତା- ୧୫/୦୯/୨୦୨୬: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେବା ଅଭିଯୋଗ ମାମଲାରେ ଦୀର୍ଘ ୯ ମାସ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୋଟକଣା ଗ୍ରାମର ପ୍ରସନ୍ନ ମଲ୍ଲିକ ଓରଫ ଅଣ୍ଡୋ।
Article Image
ସୂଚନା ଅନୁସାରେ, ୨୦୨୫ ଡିସେମ୍ବର ୨୪ ତାରିଖରେ କଟକ–ପାରାଦ୍ୱୀପ ରାଜ୍ୟ ରାଜପଥର କୋଟକଣା ଛକ ନିକଟରେ ଏକ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ମହିଳା ସାମ୍ବାଦିକା ସୋନାଲି ପଣ୍ଡାଙ୍କ ଗାଡ଼ିକୁ କିଛି ଯୁବକ ଅଟକାଇବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପରେ ରାସ୍ତା ଅବରୋଧର କାରଣ ସମ୍ପର୍କରେ ଜାଣିବା ପାଇଁ ସୋନାଲି ଘଟଣାସ୍ଥଳରେ ଫଟୋ ଉଠାଉଥିବା ବେଳେ ପ୍ରସନ୍ନ ମଲ୍ଲିକ ଓରଫ ଅଣ୍ଡୋଙ୍କ ସମେତ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏଥିରେ ସୋନାଲି ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ମଣିଜଙ୍ଗା ଚିକିତ୍ସାଳୟକୁ ନିଆଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ସାମ୍ବାଦିକ ପ୍ରସନ୍ନଜିତ ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ତାଙ୍କୁ ଧକ୍କା ଦିଆଯାଇଥିବା ଏବଂ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି। ପରେ ସୋନାଲି ପଣ୍ଡା ଓ ପ୍ରସନ୍ନଜିତ ଦାସ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ତିର୍ତ୍ତୋଲ ଥାନାରେ କେସ୍‌ ନମ୍ବର ୬୪୯, ତାରିଖ ୨୪/୧୨/୨୦୨୫ରେ ମାମଲା ରୁଜୁ ହୋଇଥିଲା।
Article Image
ତଦନ୍ତ ସମୟରେ ପୋଲିସ ଘଟଣାରେ ବ୍ୟବହୃତ ପିକ୍‌ଅପ୍‌ ଗାଡ଼ି, ନମ୍ବର OD-05-CE-0265, ଜବତ କରିଥିଲା। ଏବେ ଦୀର୍ଘ ସମୟ ପରେ ମାମଲାର ଅଭିଯୁକ୍ତ ପ୍ରସନ୍ନ ମଲ୍ଲିକ ଓରଫ ଅଣ୍ଡୋଙ୍କୁ ତିର୍ତ୍ତୋଲ ପୋଲିସ ଗିରଫ କରିଛି।
Article Image
ଗିରଫ ପରେ ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଥିବା ସୂଚନା ମିଳିଛି। ଘଟଣା ସମୟରେ ଆକ୍ରମଣ କିପରି ହୋଇଥିଲା, ଘଟଣାର କ୍ରମ କ’ଣ ଥିଲା ଏବଂ ମୋବାଇଲ୍‌ ଛଡ଼ାଇ ନେବା ଘଟଣା କିପରି ଘଟିଥିଲା, ସେ ସମ୍ପର୍କରେ ଅଭିଯୁକ୍ତ ପୋଲିସ ସମ୍ମୁଖରେ ଘଟଣାକ୍ରମ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ତଦନ୍ତର ଅଂଶ ଭାବେ ଘଟଣାସ୍ଥଳ ପୁନର୍ନିର୍ମାଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଡିଓ-ଭିଜୁଆଲ୍‌ ମାଧ୍ୟମରେ ରେକର୍ଡ କରାଯାଇଥିବା ସୂଚନା ମିଳିଛି।
Article Image
ଏହା ମାଧ୍ୟମରେ ଘଟଣାର କ୍ରମ, ଅଭିଯୁକ୍ତଙ୍କ ଭୂମିକା ଏବଂ ମାମଲା ସମ୍ପର୍କିତ ଅନ୍ୟାନ୍ୟ ପରିସ୍ଥିତିର ଯାଞ୍ଚ କରାଯାଉଛି। ତେବେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଏବଂ ମାମଲାର ତଦନ୍ତ କେଉଁ ଦିଗକୁ ଯିବ, ତାହା ଉପରେ ଏବେ ନଜର ରହିଛି।
Article Image
13