କୁଜଙ୍ଗ, 16/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
କୁଜଙ୍ଗକୁ ଏନ୍ଏସି ଘୋଷଣା ଦାବିରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗତ ଆଠଦିନ ଧରି ଚାଲିଥିବା ଦସ୍ତଖତ ଅଭିଯାନ ମଙ୍ଗଳବାର ଉଦ୍ଯାପିତ ହୋଇଛି। ଏହି ଅଭିଯାନରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗିଦାରି ଦେଖିବାକୁ ମିଳିଥିଲା।
ଉଦ୍ଯାପନୀ ସଭାରେ ମଞ୍ଚର ବରିଷ୍ଠ ଉପଦେଷ୍ଟା ବାବୁରାମ ଚୌଧୁରୀ କହିଥିଲେ ଯେ, ଆସନ୍ତା ୨୨ ତାରିଖରେ ୫ ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଦାବିପତ୍ର କୁଜଙ୍ଗ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହା ସହିତ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।

କୁଜଙ୍ଗ ଓକିଲ ସଂଘର ସମ୍ପାଦକ ରଞ୍ଜିତ ବିଶ୍ୱାଳ ଓ କୁଜଙ୍ଗ ଆଥଲେଟିକ୍ କ୍ଲବ୍ର ସମ୍ପାଦକ ରଜନୀକାନ୍ତ ଗୁରୁ ଏହି ଦାବିକୁ ସମର୍ଥନ ଜଣାଇଥିଲେ। ଅଞ୍ଚଳର ବିକାଶ ଓ ନାଗରିକ ସୁବିଧାକୁ ଦୃଷ୍ଟିରେ ରଖି ଦାବିକୁ ଗଣତାନ୍ତ୍ରିକ ଉପାୟରେ ଆଗେଇ ନେବାକୁ ସେମାନେ ଆହ୍ୱାନ ଦେଇଥିଲେ। ମଞ୍ଚର ଆବାହକ ଡ. ରଘୁନାଥ ସାହୁ କହିଥିଲେ ଯେ, ପୂର୍ବ ସରକାର ସମୟରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାର କାର୍ଯ୍ୟକାରିତା ନେଇ କୁଜଙ୍ଗବାସୀ ଆଶାବାଦୀ ଅଛନ୍ତି ବୋଲି ସେ କହିଥିଲେ। ଏନ୍ଏସି ଦାବିକୁ ନେଇ ପୂର୍ବରୁ କୁଜଙ୍ଗ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଞ୍ଚର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି କୁଜଙ୍ଗର ଭିତ୍ତିଭୂମି ସମ୍ପର୍କିତ ସରକାରୀ କାଗଜପତ୍ର ପ୍ରସ୍ତୁତି ସହ ଏନ୍ଏସି ଘୋଷଣା ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କୁ ସୁପାରିଶ କରିଥିବା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନ୍ଏସି ଦାବିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ସଚେତନତା ବଢ଼ୁଥିବା ସଭାରେ ଉପସ୍ଥିତ ବକ୍ତାମାନେ କହିଥିଲେ। ସଭାରେ ଜିନମୟୀ ସାହାଣୀ, ପ୍ରିୟମ୍ବଦା ପାଣି, ହୃଷିକେଶ ନାଥ, ଡ. ଗଙ୍ଗାଧର ସାମନ୍ତରାୟ, ବିଜୟ ଖଟେଇ, ବିବେକାନନ୍ଦ ଦାସ, ଶରତ ଜେନା ଓ ରବୀନ୍ଦ୍ର ନାଥଙ୍କ ସମେତ ବହୁ ସଂଖ୍ୟାରେ କୁଜଙ୍ଗବାସୀ ଯୋଗଦେଇଥିଲେ।

କୁଜଙ୍ଗକୁ ଏନ୍ଏସି ଘୋଷଣା ଦାବି ଏବେ ଅଧିକ ଜୋରଦାର ହୋଇଥିବାବେଳେ, ଆସନ୍ତା ୨୨ ତାରିଖର କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି।