ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପେନ୍‌ସନ୍ ଦାବିରେ ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

ଢେଙ୍କାନାଳ, 16/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) ତା. ୧୬/୯: ସ୍ଥାନୀୟ ଶ୍ରୀଶ୍ରୀ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଆସୋସିଏସନ୍‌ର ଢେଙ୍କାନାଳ ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟୀ ସଭାପତି ଅମରେନ୍ଦ୍ର ନାଥ ନନ୍ଦ ବୈଠକରେ ଅଧ୍ୟକ୍ଷତା କରିଥିଲେ।
Article Image
ସାଧାରଣ ସମ୍ପାଦକ ବିନୋଦ କୁମାର ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପେନ୍‌ସନ୍‌ ଏବଂ ଅବସରକାଳୀନ ସୁବିଧା ସମ୍ପର୍କିତ ନ୍ୟାର୍ଯ୍ୟ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବକ୍ତାମାନେ କହିଥିଲେ ଯେ, ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପେନ୍‌ସନ୍ ସମ୍ପର୍କିତ ଦାବି ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ। ଉଚ୍ଚକ୍ଷମତାସମ୍ପନ୍ନ କମିଟିର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ପକ୍ଷରୁ ପେନ୍‌ସନ୍ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ନେଇ ବିଳମ୍ବ ହେଉଥିବା ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟରେ ପ୍ରାୟ ୭୪୦୦ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଥିବା ଏବଂ ଅନେକେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଅବସରକାଳୀନ ସୁବିଧାରୁ ବଞ୍ଚିତ ଥିବା ବୈଠକରେ ଦାବି କରାଯାଇଥିଲା। ଦୀର୍ଘଦିନ ଧରି ଦାବି ଉପସ୍ଥାପନ ସତ୍ତ୍ୱେ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା। ବୈଠକରେ ଅଶ୍ୱିନୀ କୁମାର ରାୟ, ପୀତାମ୍ବର ଦାଶ, କୃପାସିନ୍ଧୁ ବେହେରା, ଅଜୟ କୁମାର ଦାଶ, ବିମଳ କୁମାର ପତି, ଦିଲ୍ଲୀପ କୁମାର ଦାଶ, ପ୍ରମୋଦ ଚନ୍ଦ୍ର ଦେହୁରୀ, ଚତୁର୍ଭୁଜ ମଲ୍ଲିକ, ତପନ କୁମାର ସାମଲ, ପବିତ୍ର ମୋହନ ରାଉତ, ହଳଧର ରାଉତ, ସଞ୍ଜୟ କୁମାର ହୋତା, ବିଜୟ କୁମାର ସାହୁ, ପ୍ରମୋଦ ବାରିକ, କୁଳମଣି ଧଳ ଓ ବସନ୍ତ ସେନାପତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
7