ଜଗତସିଂହପୁର, 19/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ)
ତାରିଖ: ୧୮/୦୯/୨୦୨୬ : ଜଗତସିଂହପୁର NH-୫୫ରେ ଗତ ଜୁନ୍ ମାସରେ ଘଟିଥିବା ଦୁଇଟି ରାହାଜାନୀ ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ସୂଚନା ଅନୁଯାୟୀ, ଜଗତସିଂହପୁର ଥାନା ଅନ୍ତର୍ଗତ ଡିହସାହି ପେଟ୍ରୋଲ ପମ୍ପ ନିକଟରେ ଗତ ଜୁନ୍ ୨୯ ତାରିଖ ସକାଳେ ବାଲିକୁଦା ଥାନା ଧନିଶୋ ଗ୍ରାମର ଶିବ ପ୍ରସାଦ ସାହୁ ବାଇକ୍ ଯୋଗେ କଟକ ଯାଉଥିବା ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ତାଙ୍କୁ ଅଟକାଇଥିଲେ। ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍, ବ୍ରେସଲେଟ୍, ମୁଦି, ନଗଦ ଟଙ୍କା ଓ ପର୍ସ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।
ସେହିପରି, ପରଦିନ ରାତିରେ ଯୋଗଧରି ଛକ ନିକଟରେ ଖେରସ ଗ୍ରାମର ବିଶ୍ୱରଞ୍ଜନ ସାହୁ ଓ ସିପି ଗ୍ରାମର ପ୍ରଶାନ୍ତ କୁମାର ଚୌଧୁରୀଙ୍କୁ ଆକ୍ରମଣ କରି ସେମାନଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କା, ଦୁଇଟି ସୁନା ଚେନ୍ ଓ ବ୍ରେସଲେଟ୍ ଲୁଟ୍ ହୋଇଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଥିଲା।
ଏହି ଦୁଇଟି ଘଟଣାକୁ ନେଇ ଜଗତସିଂହପୁର ଥାନାରେ ପୃଥକ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୋଲିସ ବାଲିକୁଦା ଥାନା ଅନ୍ତର୍ଗତ ଆଲିକଣ ଗ୍ରାମର ନାରାୟଣ ମଲ୍ଲିକ ଓରଫ ସୁନୀଲ, ମହେଶ୍ୱର ମଲ୍ଲିକ ଏବଂ ତେରତାଙ୍ଗ ଗ୍ରାମର ଅରକ୍ଷିତ ମଲ୍ଲିକଙ୍କୁ ଗିରଫ କରିଛି।
ପୋଲିସ ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍, ୫ ହଜାର ଟଙ୍କା ନଗଦ, ଗୋଟିଏ ପଲସର ବାଇକ୍ ଓ ଗୋଟିଏ ଫାର୍ସା ଜବତ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ଏନେଇ ଜଗତସିଂହପୁର SDPO ଦିବ୍ୟରଞ୍ଜନ ନାଥ ଓ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।