ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶକ୍ତିଶ୍ରୀ ପକ୍ଷରୁ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ

ଢେଙ୍କାନାଳ, 19/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ (Shaktishree Empowerment Cell) ପକ୍ଷରୁ ଆୟୋଜିତ ବିଭିନ୍ନ ସଶକ୍ତୀକରଣମୂଳକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ସେପ୍ଟେମ୍ବର ୧୮ ତାରିଖରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି ଅବସରରେ ନାରୀ ସଶକ୍ତୀକରଣ, ସୁରକ୍ଷା, କଲ୍ୟାଣ, ଆତ୍ମବିଶ୍ୱାସ ବୃଦ୍ଧି, ଜୀବନ କୌଶଳ ଓ ଦାୟିତ୍ୱସମ୍ପନ୍ନ ନାଗରିକତା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନତା କାର୍ଯ୍ୟକ୍ରମ ଓ ସେମିନାର ଆୟୋଜିତ ହୋଇଥିବା ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ମୌଳିକ କୌଶଳ ସହ ଶାରୀରିକ ପ୍ରସ୍ତୁତି, ସତର୍କତା ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାସହ ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ, କ୍ଷୁଦ୍ରଗଳ୍ପ ଲିଖନ, ସ୍ଲୋଗାନ ଲିଖନ, କବିତା ଲିଖନ, ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଲିଖନ, ରୋଷେଇ ପ୍ରତିଯୋଗିତା ଏବଂ ଇକୋ କ୍ଲବ୍ ସହଯୋଗରେ ପୋଷ୍ଟର ତିଆରି ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା ଯୋଗଦେଇ ଶିକ୍ଷା, ସଚେତନତା, ଆତ୍ମବିଶ୍ୱାସ ଓ ଦକ୍ଷତା ବିକାଶ ମାଧ୍ୟମରେ ଯୁବତୀମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀମାନେ କାର୍ଯ୍ୟକ୍ରମରୁ ହାସଲ କରିଥିବା ଜ୍ଞାନ ଓ ଦକ୍ଷତାକୁ ଭବିଷ୍ୟତ ଜୀବନରେ ସଠିକ୍ ଭାବେ ପ୍ରୟୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରଶାସନିକ ବୁର୍ସାର ଭୁବନେଶ୍ୱର ମୁଦୁଲି ଛାତ୍ରୀମାନଙ୍କ ସହ ନିଜର ମତାମତ ବାଣ୍ଟିଥିଲେ। ଶକ୍ତିଶ୍ରୀ ସଂଯୋଜିକା ସୁଶ୍ରୀ ଲୀନା ଗନ୍ତାୟତ ପ୍ରକୋଷ୍ଠର ଲକ୍ଷ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଜୟିତା ପ୍ରିୟଦର୍ଶିନୀ, ଡ. ସାଗରିକା ପଣ୍ଡା, ସୁଶ୍ରୀ ପ୍ରଜ୍ଞା ପାରମିତା ମାଝୀ, ଆତ୍ମରକ୍ଷା ପ୍ରଶିକ୍ଷଣର ମାଷ୍ଟର ଟ୍ରେନର ସୁଶ୍ରୀ ବନ୍ଦନା ବିଶ୍ୱାଳ ଓ ଶକ୍ତିଶ୍ରୀ ସାଥୀ ସୁଶ୍ରୀ ଜ୍ୟୋତିର୍ମୟୀ ସାହୁ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରୀ ପ୍ରତିନିଧି କୁମାରୀ ଆକାଂକ୍ଷା ମିଶ୍ର ଓ କୁମାରୀ ଶ୍ରୀୟା ରଥ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଅନୁଭୂତି ଓ ମତାମତ ପ୍ରକାଶ କରିଥିଲେ। ଶେଷରେ ସୁଶ୍ରୀ ଜ୍ୟୋତିର୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଯାପନୀ ସମାରୋହ ମାଧ୍ୟମରେ ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ ଛାତ୍ରୀମାନଙ୍କ ସଶକ୍ତୀକରଣ, ସଚେତନତା ଓ ଦକ୍ଷତା ବିକାଶ ଦିଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ସମାପ୍ତି ଘୋଷିତ ହୋଇଥିଲା।
12