ଅଳକା ଆଶ୍ରମ , ଜଗତସିଂହପୁର, 19/09/2026, ଉତ୍କଳ voice news - utkalvoicenews.com(ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ତା. ୧୯/୦୯/୨୦୨୬: ଜଗତସିଂହପୁରସ୍ଥିତ ଐତିହାସିକ ଅଳକା ଆଶ୍ରମ ପ୍ରେକ୍ଷାଳୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା’ ସାରଳା ଶାଖା, ଜଗତସିଂହପୁର ଜିଲ୍ଲା, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ‘ନବକାକଳି’ ସାହିତ୍ୟ ପତ୍ରିକାର ମିଳିତ ସହଯୋଗରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ତଥା ପ୍ରବନ୍ଧ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ସାହିତ୍ୟରତ୍ନ ଡ. ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ପୋକପୁର ମଠାଧୀଶ ମହନ୍ତ ତ୍ରିଲୋଚନ ଦାସ ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବେ ଏସ୍ଭିଏମ୍ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଓତା, ମୁଖ୍ୟବକ୍ତା ଡ. ଅଭୟ କୁମାର ନାୟକ, ବିଶିଷ୍ଟ ଅତିଥି କାହ୍ନୁଚରଣ ପାଣିଗ୍ରାହୀ ଏବଂ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଉମାକାନ୍ତ ନାୟକ ଯୋଗଦେଇ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୀବନୀ ଓ ସାହିତ୍ୟକୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଜୟ କୁମାର ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପରିଷଦର ଉପସଭାପତି ବିଜୟ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦକ ସବ୍ୟସାଚୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ସ୍ୱର୍ଗତ ପଟ୍ଟନାୟକଙ୍କ ଲୋକପ୍ରିୟ ଗୀତ ପରିବେଷଣ କରିଥିଲେ।
ପରିଷଦର ସଦସ୍ୟା ତଥା ‘ନବକାକଳି’ର ପରିଚାଳନା ସମ୍ପାଦିକା ମନୋରମା ଦାଶ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଭାଗବତକୁ ଗ୍ରାମାଞ୍ଚଳରେ ଲୋକପ୍ରିୟ କରାଇବାରେ ଅବଦାନ ରଖିଥିବା ଇଞ୍ଜିନିୟର ଅକ୍ଷୟ କୁମାର ନାୟକ ଏବଂ ଭାଗବତ ଶାସ୍ତ୍ର ଗବେଷକ ଜ୍ଞାନରଞ୍ଜନ ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ପାଦକ ପଣ୍ଡିତ ଡ. ରବୀନ୍ଦ୍ରନାଥ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବୟିତ୍ରୀ ମନୋରମା ଶତପଥୀଙ୍କ ସଂଯୋଜନାରେ ଅର୍ଦ୍ଧଶତାଧିକ କବି ସ୍ୱରଚିତ କବିତା ଓ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ତଥା ଜୀବନୀ ଉପରେ ପ୍ରବନ୍ଧ ପାଠ କରିଥିଲେ।
ଏହି କବିତା ଓ ପ୍ରବନ୍ଧ ପାଠୋତ୍ସବରେ କବି ହେମନ୍ତ କୁମାର ନାୟକ, ସନ୍ନ୍ୟାସୀ ବୈରାଗୀ ଦାସ, ନୀଳକଣ୍ଠ ମିଶ୍ର, ଗଣେଶ ମହାନ୍ତି, ଅଶୋକ କୁମାର ସ୍ୱାଇଁ, ଶେଷଦେବ ଛୋଟରାୟ, ମହମ୍ମଦ ମନସୁର ଅଲୀ, ଜୟଶ୍ରୀ ମିଶ୍ର, ହୃଦାନନ୍ଦ ବାରିକ, ସୁଭାଷ ଚନ୍ଦ୍ର ରାଉତ, ଆଶିଷ ପରିଜା, ବେଣୁଧର ବେହେରା, ଅଶୋକା ମହାନ୍ତି, ରବୀନ୍ଦ୍ରନାଥ ବେହେରା, ଗଗନବିହାରୀ ବେହେରା, ବଂଶୀଧର ବେହେରା ଓ ଅରୁଣ କୁମାର ମହାରଣା ପ୍ରମୁଖଙ୍କ କବିତା ଓ ପ୍ରବନ୍ଧ ପାଠ ଶ୍ରୋତାମାନଙ୍କୁ ଆକୃଷ୍ଟ କରିଥିଲା।
ଶେଷରେ ରବୀନ୍ଦ୍ରନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସଭା ସମାପ୍ତ ହୋଇଥିଲା।