ଗଞ୍ଜାମ, 20/09/2026, ଉତ୍କଳ voice news - utkalvoicenews.comପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପାରମ୍ପରିକ ଭାବେ ପାଳିତ ହୋଇଆସୁଥିବା ପଣା କଳସ ଯାତ୍ରା ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପ୍ରତି ତିନିବର୍ଷରେ ଥରେ ଭାଦ୍ରବ ମାସରେ ଏହି ଯାତ୍ରା ଆୟୋଜିତ ହୋଇଥାଏ।
ପାଞ୍ଚ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବା ସହ ଗ୍ରାମ, ବ୍ଲକ, ଜିଲ୍ଲା, ରାଜ୍ୟ ଓ ଦେଶର ମଙ୍ଗଳ କାମନା କରି ଏହି ପୂଜା ଆୟୋଜନ କରାଯାଇଥାଏ। ବିଶେଷକରି ଚାଷରେ ଉନ୍ନତି, ପର୍ଯ୍ୟାପ୍ତ ବର୍ଷା, ରୋଗପୋକ ଦାଉରୁ ଫସଲର ସୁରକ୍ଷା, ଗ୍ରାମରେ ଶାନ୍ତି ଓ ଶୃଙ୍ଖଳା, ସୁସ୍ଥ ଜୀବନ ଏବଂ ଭାଇଚାରା ବଜାୟ ରହିବା ନେଇ ମାଆଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ।

ଏହି ଅବସରରେ ଚାରି ପ୍ରକାର ଉପକରଣ ଓ ଗୁଡ଼ ବ୍ୟବହାର କରି ପ୍ରାୟ ୨୦୦ କିଲୋଗ୍ରାମ ଲେମ୍ବୁ ସହ ବିଭିନ୍ନ ସାମଗ୍ରୀରେ ଚାରୋଟି ୩ ଫୁଟିଆ ମୁଆଁ ଏବଂ ଗୋଟିଏ ୬ ଫୁଟିଆ ବଡ଼ ମୁଆଁ ପ୍ରସ୍ତୁତ କରାଯାଇଥିଲା। ଗ୍ରାମର ବୁଢ଼ୀ ଠାକୁରାଣୀ, ଗ୍ରାମଦେବୀ, ହରିଚଣ୍ଡୀ, ବାଲିଚଣ୍ଡୀ ଓ ବାଇଧର ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ପରେ ଚାରୋଟି ୩ ଫୁଟିଆ ମୁଆଁ ଠାକୁରାଣୀଙ୍କ ନିକଟକୁ ନିଆଯାଇ ପଣା କଳସ ସହ ପୂଜାର୍ଚ୍ଚନା କରାଯାଇଥିଲା। ଶେଷରେ ୬ ଫୁଟିଆ ବଡ଼ ମୁଆଁକୁ ରଥରେ ରଖି, ମାଆଙ୍କ ପଣା ହାଣ୍ଡି ସହ ଶତାଧିକ ପଣା କଳସ ଧରି ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ବାଜାବାଜଣା ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ ବାହାରେ ଥିବା ବାଇଧର ଠାକୁରାଣୀଙ୍କ ନିକଟରେ ୬ ଫୁଟିଆ ମୁଆଁ ସମର୍ପଣ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀ ମାଆଙ୍କ ନିକଟରେ ଶରଣାପନ୍ନ ହୋଇ ଗ୍ରାମର ମଙ୍ଗଳ ଓ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ପାରମ୍ପରିକ ଯାତ୍ରାକୁ ଗ୍ରାମ୍ୟ ଦେବୀ ପୂଜା ପରିଚାଳନା କମିଟିର ସଭାପତି ସୁଦର୍ଶନ ନାୟକଙ୍କ ସମେତ ଦେବରାଜ ସାହୁ, ପ୍ରତାପୁର ସରପଞ୍ଚ ଦାଶ ବେହେରା, ନାରାୟଣ ବେହେରା, ଅଭିମନ୍ୟୁ ବେହେରା, ଗୋବିନ୍ଦ ବେହେରା, ଗୌରୀଶଙ୍କର ରାଉଳ, ପୂର୍ଣ୍ଣଚନ୍ଦ୍ର ସାହୁ, ଶଙ୍କର ବିଷୋୟୀ, ମାଧବ ମୋହନ ବିଷୋୟୀଙ୍କ ସମେତ ଗ୍ରାମବାସୀ, ଯୁବଗୋଷ୍ଠୀ ଓ ବୟୋଜ୍ୟେଷ୍ଠମାନେ ସହଯୋଗ କରିଥିଲେ।