ଢେଙ୍କାନାଳ, 21/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :

୨୦/୦୯/୨୦୨୬: ଭାରତୀୟ ଯୋଗ ସଂସ୍ଥାନ, କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ପକ୍ଷରୁ ୬୦ତମ ଯୋଗ ଉତ୍ସବ ଅବସରରେ ରବିବାର ପ୍ରାତଃ ୬ଟା ସମୟରେ ଏକ ପ୍ରଭାତଫେରି ଓ ସଚେତନତା ରାଲି ଆୟୋଜିତ ହୋଇଥିଲା।
ଢେଙ୍କାନାଳର ପରମ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଏହି ରାଲି ଆରମ୍ଭ ହୋଇଥିଲା। କପିଳାସ ଯୋଗ ଜିଲ୍ଲାର ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ, ଜିଲ୍ଲା ମନ୍ତ୍ରୀ ଡ. ଧର୍ମାନନ୍ଦ ପୃଷ୍ଟି ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ଆଜ୍ଞାମାଳ ଅଣାଯିବା ପରେ ଶୃଙ୍ଖଳିତ ଭାବେ ରାଲି ଆଗକୁ ବଢ଼ିଥିଲା।
ବିଭିନ୍ନ ଯୋଗକେନ୍ଦ୍ରର ସାଧକ-ସାଧିକାମାନେ ପ୍ଲାକାର୍ଡ ଧରି ଯୋଗର ଉପକାରିତା ଓ ସୁସ୍ଥ ଜୀବନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ବଜରଙ୍ଗ ଯୋଗକେନ୍ଦ୍ରର କେନ୍ଦ୍ର ପ୍ରମୁଖ ସ୍ନେହମୟୀଜୀ ଓ ଇନ୍ଦିରା ଦେବତାଜୀ ଭଜନ ପରିବେଷଣ କରିଥିଲେ। ଶରତ ଲେଙ୍କା, ଅଭିମନ୍ୟୁ ହୋତା ଓ ଉମେଶଜୀ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ଯୋଗ ଅଭ୍ୟାସରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ରାଲିଟି ବଳରାମ ମନ୍ଦିର, ମହିଳା ମହାବିଦ୍ୟାଳୟ, ପରିବାହାଟ, ମୁଖ୍ୟ ଡାକଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ହନୁମାନବାଟିକା, ଷ୍ଟାଡିୟମ, କଚେରୀ ରୋଡ୍ ଓ ରାଜନଗର ଦେଇ ପୁନର୍ବାର ବଳରାମ ମନ୍ଦିର ନିକଟରେ ପହଞ୍ଚିଥିଲା।
ଜିଲ୍ଲା ପୁଲିସ ପ୍ରଶାସନର ତତ୍ତ୍ୱାବଧାନରେ ଆୟୋଜିତ ଏହି ରାଲିରେ ଶତାଧିକ ସାଧକ-ସାଧିକା, ବିଭିନ୍ନ ଯୋଗକେନ୍ଦ୍ରର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଯୋଗର ମହତ୍ତ୍ୱ ସହିତ ସୁସ୍ଥ ଜୀବନ ପାଇଁ ସୁଷମ ଓ ଉତ୍ତମ ଖାଦ୍ୟାଭ୍ୟାସ ଅବଲମ୍ବନ କରିବାକୁ ଆୟୋଜକମାନେ ଆହ୍ୱାନ ଦେଇଥିଲେ।
ନିଃଶୁଳ୍କ ଯୋଗ ଶିକ୍ଷା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ବାସିନ୍ଦା, ପ୍ରାତଃଭ୍ରମଣକାରୀ ଓ ସାଧାରଣ ଲୋକେ ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ ଜଳଯୋଗ ପରେ କପିଳାସ ଯୋଗ ଜିଲ୍ଲାର ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।