ଢେଙ୍କାନାଳ, 21/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
_1789960733.jpg)
ତା. ୨୦/୯: ଢେଙ୍କାନାଳ ସହରସ୍ଥିତ ମହାବୀର ବଜାରଠାରେ ଖୁଦୁରୁକୁଣୀ ଓଷା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୧୫ ବର୍ଷ ଧରି ଏଠାରେ ଜାକଜମକରେ ଏହି ପୂଜା ଅନୁଷ୍ଠିତ ହୋଇଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଇଛି।
୪ ପାଳି ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ଓଷାର ଅନ୍ତିମ ଦିବସରେ ପ୍ରାତଃ ସମୟରୁ ମା’ ଖୁଦୁରୁକୁଣୀଙ୍କୁ ସ୍ଥାପନ କରାଯାଇ ବାଲୁଙ୍କା ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ଆଳତି ସହ ଖୁଦୁରୁକୁଣୀ ଓଷା ବହି ପାଠ କରାଯାଇଥିଲା। ଏହାପରେ ରାତ୍ରିରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ପୂଜାରେ ଝିଅ ଓ ବୋହୂମାନେ ନିଜ ଭାଇମାନଙ୍କର ଶୁଭ ଓ ମଙ୍ଗଳ କାମନା କରି ମା’ ଖୁଦୁରୁକୁଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏଥିପାଇଁ ଖଇ, ଉଖୁଡ଼ା, ନଡ଼ିଆ, ରାଶିଲଡୁ, କଦଳୀ, କାକୁଡ଼ି ଓ ବୁନ୍ଦିଆ ଆଦି ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଥିଲା।
ପୂଜା କମିଟିର ଅଙ୍କିତାଙ୍କ ସୂଚନା ଅନୁଯାୟୀ, ପୂଜା ସାହିର ଝିଅ, ପିଲା ଓ ବୋହୂମାନଙ୍କ ସହଯୋଗରେ ଦୀର୍ଘବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ଆସନ୍ତା ଶୁକ୍ରବାର ଦିନ ମା’ଙ୍କ ମୂର୍ତ୍ତି ବିସର୍ଜନ ଓ ଭସାଣୀ ଉତ୍ସବ ବହୁ ଧୁମ୍ଧାମ୍ରେ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।