ପାରାଦ୍ୱୀପ, 21/09/2026, ଉତ୍କଳ voice news - utkalvoicenews.com
ପାରାଦ୍ୱୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ପାରାଦ୍ୱୀପ ଟ୍ରକ ମାଲିକ ସଂଘର ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ମେଢ଼। ଗତବର୍ଷ ପୂଜାରେ ପ୍ରଥମ ସ୍ଥାନ ହାସଲ କରିଥିବା ଏହି ମେଢ଼ ଚଳିତବର୍ଷ ମଧ୍ୟ ନିଖୁଣ କାରୁକାର୍ଯ୍ୟ, ଆକର୍ଷଣୀୟ ଆଲୋକସଜ୍ଜା ଏବଂ ରାଜସ୍ଥାନୀ ସଂସ୍କୃତିର ନିଆରା ରୂପରେ ଦର୍ଶକଙ୍କ ମନ ଜିଣୁଛି।
_1789963265.jpg)
ପୂଜା ପରିସରରେ ଆଲୋକସଜ୍ଜା ସହିତ ସ୍ୱଚ୍ଛତାକୁ ମଧ୍ୟ ସଂଘ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପୂଜା ପରିସରରେ ଜରି, ପାଣି ବୋତଲ କିମ୍ବା ଅନ୍ୟ କୌଣସି ଅଳିଆ ନ ପଡ଼ିବା ପାଇଁ ସ୍ୱେଚ୍ଛାସେବୀମାନେ ନିରନ୍ତର ନଜର ରଖୁଛନ୍ତି।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସଂଘ ପକ୍ଷରୁ ପାଞ୍ଚଦିନିଆ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବଲିଉଡ୍ ଓ ଓଲିଉଡ୍ର ନାମୀ କଳାକାରଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ରାତିରେ ଶାଶଙ୍କ ଶେଖର ଏବଂ ପୂର୍ବ ରାତିରେ ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଦର୍ଶକ ମତୁଆଲା ହୋଇଥିଲେ।
ସଂଘର ସଭାପତି ଆଲୋକ ପରିଡ଼ା କହିଛନ୍ତି ଯେ, ସାରା ଓଡ଼ିଶାରେ ପାରାଦ୍ୱୀପ ବିଶ୍ୱକର୍ମା ପୂଜାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ପାରାଦ୍ୱୀପର ସୁନାମକୁ ଆହୁରି ବଢ଼ାଇବା ଉଦ୍ଦେଶ୍ୟରେ ରାଜସ୍ଥାନୀ ସଂସ୍କୃତିକୁ ଆଧାର କରି ନିଖୁଣ କାରୁକାର୍ଯ୍ୟରେ ମେଢ଼ ପ୍ରସ୍ତୁତ କରାଯାଇଛି। ଅଏଲ୍ ଫେୟାର କମିଟିର ସଦସ୍ୟଙ୍କ ପରିଶ୍ରମ ଓ ଟ୍ରକ ମାଲିକମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।
ସେହିପରି ସଂଘର ସାଧାରଣ ସମ୍ପାଦକ ରାଜେଶ ମହାନ୍ତି କହିଛନ୍ତି ଯେ, ପୂଜାର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ ନାମୀଦାମୀ କଳାକାରଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପାରାଦ୍ୱୀପର ସ୍ୱଚ୍ଛତା ଦୂତ ତଥା ସମାଜସେବୀ ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି ଯେ, ପାରାଦ୍ୱୀପର ସମ୍ମାନ ଓ ପରିଚୟକୁ ଆହୁରି ସୁଦୃଢ଼ କରିବା ସହିତ ସ୍ୱଚ୍ଛତାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ପୂଜା ଆମ ସମସ୍ତଙ୍କର। ତେଣୁ ପାରାଦ୍ୱୀପକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜିମାମୟ କରିବା ପାଇଁ ସମସ୍ତେ ସଚେତନ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ପୂଜା ପେଣ୍ଡାଲଗୁଡ଼ିକ ମଧ୍ୟରେ ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷଠାରୁ ପ୍ରଶାସନ ପକ୍ଷରୁ ‘ସ୍ୱଚ୍ଛତା ପୁରସ୍କାର’ ପ୍ରଦାନ କରାଗଲେ ପୂଜା କମିଟିଗୁଡ଼ିକ ଅଧିକ ଉତ୍ସାହିତ ହେବେ ବୋଲି ମତ ପ୍ରକାଶ ପାଇଛି।