ଏରସମା, 21/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ):

ତା - ୨୧/୯ : ଏରସମା ବ୍ଲକ ଜଳଉ ଗ୍ରାମ ନିକଟରେ ନିର୍ମାଣାଧୀନ ଟାଟା ପାୱାର ପ୍ଲାଣ୍ଟକୁ ନେଇ ପୁଣି ତେଜିଛି ଗ୍ରାମବାସୀଙ୍କ ଅସନ୍ତୋଷ। କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ପୂର୍ବରୁ ହୋଇଥିବା ଚୁକ୍ତି ଅନୁଯାୟୀ ୯ ଦଫା ଦାବି ପୂରଣ ହୋଇନଥିବା ଅଭିଯୋଗ କରି ଗ୍ରାମବାସୀମାନେ ସୋମବାର ପ୍ଲାଣ୍ଟ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗୋଚର ଜମିରେ ପ୍ଲାଣ୍ଟ ନିର୍ମାଣ ହେଉଥିବାରୁ ଚାରଣଭୂମି ସଙ୍କଟ ସୃଷ୍ଟି ହୋଇଛି। ଏହା ଦ୍ୱାରା ଗ୍ରାମର ଗୃହପାଳିତ ପଶୁଙ୍କ ସହ ଗ୍ରାମବାସୀମାନେ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସମସ୍ୟାର ସମାଧାନ ଓ ଗ୍ରାମର ସାମୂହିକ ବିକାଶ ପାଇଁ ପୂର୍ବରୁ କମ୍ପାନୀ ସହ ଆଲୋଚନା ହୋଇଥିଲା।
ସ୍ଥାନୀୟ ବିଧାୟକଙ୍କ ମଧ୍ୟସ୍ଥତାରେ କମ୍ପାନୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଚୁକ୍ତି ହୋଇ ଜଳଉକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ୯ ଦଫା ଦାବି ପୂରଣ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପ୍ଲାଣ୍ଟ ନିର୍ମାଣ ଦ୍ରୁତଗତିରେ ଚାଲିଥିବା ବେଳେ ଗ୍ରାମବାସୀଙ୍କ ଦାବି ପୂରଣ ଦିଗରେ କମ୍ପାନୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି।
ଜଳଉ ଗ୍ରାମ କମିଟିର ମୁଖ୍ୟ ନିମାଇଁ ରାଉତ, ଅଭିରାମ ନାୟକ ଓ ନୃସିଂହ ଛାଟୋଇଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିକ୍ଷୋଭ କରିବା ପରେ ପ୍ଲାଣ୍ଟର ବରିଷ୍ଠ ଯନ୍ତ୍ରୀ ସ୍ନେହାଂଶୁ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଆସନ୍ତା ୭ ଦିନ ମଧ୍ୟରେ ଚୁକ୍ତି ଅନୁଯାୟୀ ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।