ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୬ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧୨ କାଂସ୍ୟ ପଦକ; ସ୍ମୃତି ଭୋଇଙ୍କୁ ୩ ସ୍ୱର୍ଣ୍ଣ ଓ ୧ କାଂସ୍ୟ

ଢେଙ୍କାନାଳ, 22/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପୁଷ୍ପ ବଟିକାଠାରେ ସେପ୍ଟେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୱାକୋ ଇଣ୍ଡିଆ ନେସନାଲ୍ ସିନିୟର୍ ଆଣ୍ଡ ମାଷ୍ଟର୍ କିକ୍ ବକ୍ସିଂ ଚାମ୍ପିୟନସିପ୍-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୯୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ୪୫ ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ, ଢେଙ୍କାନାଳ ଜିଲ୍ଲାର ୯ ଜଣ ବାଳିକା ଓ ୮ ଜଣ ବାଳକଙ୍କ ସମେତ ମୋଟ ୧୭ ଜଣ ଖେଳାଳି ଅମେଚୋର୍ କିକ୍ ବକ୍ସିଂ ଆସୋସିଏସନ୍ ଓଡ଼ିଶା ଦଳରେ ସାମିଲ ହୋଇଥିଲେ। ଜିଲ୍ଲାର ଖେଳାଳିମାନେ ବିଭିନ୍ନ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହ ମୋଟ ୧୯ଟି ପଦକ ହାସଲ କରିଛନ୍ତି। ବାଳିକା ବିଭାଗରେ ୪୦ କେଜି ବର୍ଗରେ ସ୍ମୃତି ଭୋଇ ୨ଟି ସ୍ୱର୍ଣ୍ଣ ଓ ୧ଟି କାଂସ୍ୟ ପଦକ ଜିତିଥିବାବେଳେ, ଅରୁନ୍ଧତୀ ସାହୁ ୪୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ୫୦ କେଜି ବର୍ଗରେ ରୁପା ନାୟକ କାଂସ୍ୟ, ୬୦ କେଜି ବର୍ଗରେ ରୋସନି ବେଗମ୍ ୨ଟି କାଂସ୍ୟ ଏବଂ ୭୦ କେଜି ବର୍ଗରେ ଉମା ମାହେଶ୍ୱରୀ ଦାସ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି +୭୦ କେଜି ବର୍ଗରେ କୀର୍ତ୍ତିରାଣୀ ସାହୁ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବାଳିକା ଦଳଗତ ବର୍ଗରେ ସ୍ମୃତି ଭୋଇ ଓ ମାନସୀ ସାହୁଙ୍କ ଟିମ୍ ମ୍ୟୁଜିକାଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ, କୀର୍ତ୍ତିରାଣୀ ସାହୁ, ରୁପା ନାୟକ, ରୋସନି ବେଗମ୍ ଓ ମାନସୀ ସାହୁଙ୍କ ଟିମ୍ ପଏଣ୍ଟ ଫାଇଟିଂ ବର୍ଗରେ କାଂସ୍ୟ ପଦକ ହାସଲ କରିଛି। ବାଳକ ବିଭାଗରେ ୪୫ କେଜି ବର୍ଗରେ ଶୁଭଙ୍କର ନାୟକ ୨ଟି କାଂସ୍ୟ ପଦକ, ୫୭ କେଜି ବର୍ଗରେ ଚନ୍ଦନ ସାହୁ କାଂସ୍ୟ, ୬୩ କେଜି ବର୍ଗରେ ବବୁଲୁ ବେହେରା କାଂସ୍ୟ ଏବଂ ୬୯ କେଜି ବର୍ଗରେ ସୌଭାଗ୍ୟ ରଞ୍ଜନ ବେହେରା କାଂସ୍ୟ ପଦକ ହାସଲ କରିଛନ୍ତି। ୭୪ କେଜି ବର୍ଗରେ ସମୀର ପ୍ରଧାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାଛଡ଼ା ସମୀର ପ୍ରଧାନ, ସୌଭାଗ୍ୟ ରଞ୍ଜନ ବେହେରା ଓ ଶୁଭେନ୍ଦୁ କୁମାର ଜେନାଙ୍କ ଟିମ୍ ପଏଣ୍ଟ ଫାଇଟିଂ ବର୍ଗରେ କାଂସ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଦଳର ଟିମ୍ କୋଚ୍ ଭାବେ ମିହିର କୁମାର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିଯୋଗିତା ପୂର୍ବରୁ ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଖେଳାଳିମାନେ କଠିନ ପରିଶ୍ରମ କରି ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବହନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାର ଖେଳାଳିମାନଙ୍କ ଏହି ସଫଳତା ପାଇଁ ଜିଲ୍ଲାପାଳ ଆଶିଷ କୁମାର ପଟେଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ର, ଅମେଚୋର୍ କିକ୍ ବକ୍ସିଂ ଆସୋସିଏସନ୍‌ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା, ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍‌ର ସଭାପତି ସନ୍ତୋଷ କୁମାର ପରିଡ଼ା, ଉପସଭାପତି ଦୀପ୍ତି ରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଂଗଠନର ସଦସ୍ୟମାନେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
13