ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଭିନ୍ନ ଦାବି ନେଇ ଗୁଡାରି ବନ୍ଦ, ଜନଜୀବନ ପ୍ରଭାବିତ

ରାୟଗଡ଼ା, 22/09/2026, ଉତ୍କଳ voice news - utkalvoicenews.com(ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ) :
Article Image
ବିଭିନ୍ନ ଦାବି ପୂରଣ ନେଇ ଗୁଡାରି ସହରବାସୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ସହରରେ ଜନଜୀବନ ପ୍ରଭାବିତ ହୋଇଥିଲା। ସହରବାସୀଙ୍କ ପ୍ରମୁଖ ଦାବି ମଧ୍ୟରେ ବଂଶଧାରା ବିଜୁ ସେତୁଠାରୁ ଶିରିଗୁଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରିରୁ ଭୁବନେଶ୍ୱର ଓ କଟକକୁ ଓଏସ୍‌ଆର୍‌ଟିସି ବସ୍‌ ସେବା ଆରମ୍ଭ, ଗୁଡାରିରୁ ବିଷମକଟକ ଭାୟା କରଲାଘାଟି ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ଆଦି ରହିଛି। ଏଥିସହ ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍‌ୱେ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ରାସ୍ତା ସହ ସଂଯୋଗ କରିବା, ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲ୍ଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହାକୁ ରାଜ୍ୟ ରାଜପଥର ମାନ୍ୟତା ଦେବାକୁ ମଧ୍ୟ ଦାବି କରାଯାଇଛି। ପ୍ରଶାସନ ପକ୍ଷରୁ ଦାବି ପୂରଣ ନେଇ କୌଣସି ଠୋସ୍‌ ପଦକ୍ଷେପ କିମ୍ବା ସୂଚନା ମିଳିନଥିବା ଅଭିଯୋଗ କରି ସହରବାସୀ ଏହି ବନ୍ଦ ପାଳନ କରିଥିବା କହିଛନ୍ତି। ବନ୍ଦ ସମୟରେ ଜରୁରୀକାଳୀନ ସେବାକୁ ବାଦ୍‌ ଦେଇ ଅଧିକାଂଶ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ-କଲେଜ ଏବଂ ଦୋକାନବଜାର ବନ୍ଦ ରହିଥିଲା। ସହରକୁ ସଂଯୋଗ କରୁଥିବା ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ବନ୍ଦକୁ ସଫଳ କରିବା ପାଇଁ ପୂର୍ବଦିନ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରବାସୀଙ୍କୁ ଅବଗତ କରାଯାଇଥିଲା। ବନ୍ଦକୁ ସହରବାସୀଙ୍କ ସମର୍ଥନ ମିଳିଥିବା ବେଳେ କେତେକ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ ଓ କଲେଜ ଖୋଲା ଥିବାରୁ ଆନ୍ଦୋଳନକାରୀମାନେ ସେଠାକୁ ଯାଇ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ବନ୍ଦ ପାଳନ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ଜଣାପଡ଼ିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଅଧିକାରୀ ବିଶ୍ୱବନ୍ଧିନୀ ବାଗଙ୍କ ନେତୃତ୍ୱରେ ପୁଲିସ ବାହିନୀ ସହରର ପ୍ରମୁଖ ଛକଗୁଡ଼ିକରେ ମୁତୟନ ହୋଇଥିଲେ।
6