ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୌତୁକ ଓ ଘରୋଇ ହିଂସା ନିଷେଧ ଆଇନ ନେଇ ଜିଲ୍ଲାସ୍ତରୀୟ ତାଲିମ

ରାୟଗଡ଼ା, 22/09/2026, ଉତ୍କଳ voice news - utkalvoicenews.com(ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ) :
Article Image
ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ) ଶ୍ରୀ ରବୀନ୍ଦ୍ର ନାଥ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୌତୁକ ପ୍ରଥା ଓ ଘରୋଇ ହିଂସାର ପ୍ରତିରୋଧ, ମହିଳାଙ୍କ ସୁରକ୍ଷା ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ରୁପାଲି ପାତ୍ର, ADMO ଡା. ମମତା ସାହୁ, DSWO ଶ୍ରୀମତୀ ମିନତୀ ଦେଓ, IUCW ଇନ୍ସପେକ୍ଟର ଶ୍ରୀମତୀ ସୁନିତା ବେହେରା, ପରିବାର ଅଦାଲତର କାଉନ୍ସେଲର ଶ୍ରୀ ଆକାଶ ଗୁରୁ, ବରିଷ୍ଠ ଓକିଲ ତଥା JJB ସଦସ୍ୟ ଶ୍ରୀମତୀ ପ୍ରଣତି ପାତ୍ର ଓ ବରିଷ୍ଠ ଓକିଲ ଶ୍ରୀ ରବିନାରାୟଣ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ୱାଗତ ଅଭିଭାଷଣରେ DSWO ଶ୍ରୀମତୀ ମିନତୀ ଦେଓ ଯୌତୁକ ଓ ଘରୋଇ ହିଂସା ରୋକିବା ସହ ମହିଳାଙ୍କୁ ସମୟୋପଯୋଗୀ ସହାୟତା ଓ ସୁରକ୍ଷା ପ୍ରଦାନ ପାଇଁ ପ୍ରଶାସନ, ପୋଲିସ, ନ୍ୟାୟ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କହଁର ଯୌତୁକ ଓ ଘରୋଇ ହିଂସା ବିରୋଧରେ ନିରନ୍ତର ସଚେତନତା ଏବଂ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଦର୍ଶାଇଥିଲେ। ଆଇନର ବ୍ୟବସ୍ଥା ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ବରିଷ୍ଠ ଓକିଲ ଶ୍ରୀ ରବିନାରାୟଣ ଶତପଥୀ ଯୌତୁକ ନିଷେଧ ଆଇନ ଏବଂ ବରିଷ୍ଠ ଓକିଲ ତଥା JJB ସଦସ୍ୟ ଶ୍ରୀମତୀ ପ୍ରଣତି ପାତ୍ର ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଲେଡି ସୁପରଭାଇଜର, ମହିଳା ଡେସ୍କର ପୋଲିସ ଅଧିକାରୀ, କଲେଜ ଅଧ୍ୟାପକ ଓ ଛାତ୍ରୀ, ନାରୀ ଅଦାଲତ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଶକ୍ତି ସଦନ ଓ ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ, ବେସରକାରୀ ସଂସ୍ଥା, ଗଣମାଧ୍ୟମ କର୍ମୀ ଏବଂ ସଂକଳ୍ପ ହବ୍‌ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଶେଷରେ ସଂକଳ୍ପ ହବ୍‌, ରାୟଗଡ଼ାର ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ।
6