ତିର୍ତ୍ତୋଲ, 23/09/2026, ଉତ୍କଳ voice news - utkalvoicenews.com(ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ) :
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ଜୟସିଂହପୁର ଗ୍ରାମରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଶ୍ୱଶୁରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଘଟଣାରେ ଶ୍ୱଶୁର ଅଧୀର ସ୍ୱାଇଁ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଉର୍ମିଳା ରାଉତ ଘରେ ରୋଷେଇ କରୁଥିବା ସମୟରେ ସେହି ଗ୍ରାମର ରଶ୍ମିରଞ୍ଜନ ରାଉତ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରି ଅଧୀର ସ୍ୱାଇଁ ବୋହୂଙ୍କୁ ରକ୍ଷା କରିବାକୁ ଆସିଥିବା ବେଳେ ତାଙ୍କୁ କାଠ ଫାଳିଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ଅଧୀର ଆହତ ହେବା ପରେ ତାଙ୍କ ସାନ ପୁଅ ଆଶିଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରୁଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସା ପରେ ଅଧୀରଙ୍କୁ ସର୍ଜରୀ ବିଭାଗକୁ ରେଫର କରାଯାଇଛି।
ଏନେଇ ଆଶିଷ କନକପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେତେବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିବା ସହ ଅଭିଯୁକ୍ତଙ୍କୁ ଖୋଜାଖୋଜି କରାଯାଉଛି।
ସୂଚନା ଅନୁଯାୟୀ, ଗତ ଜୁନ୍ ୨୯ ତାରିଖରେ ମଧ୍ୟ ଉକ୍ତ ମହିଳା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିବା କହିଛନ୍ତି।
ତେବେ ଏହି ଘଟଣାରେ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।