ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କରସିଂଙ୍ଗିରେ ସେବା ସେତୁ ଅଭିଯାନ

ବୁଗୁଡ଼ା, 23/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କରସିଂଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଗୁଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ "ସେବା ସେତୁ ଅଭିଯାନ ୨୦୨୬" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରଚୁଲି ଓ କରସିଂଙ୍ଗି ଗ୍ରାମ ପଞ୍ଚାୟତକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ।ଏହି କାର୍ଯ୍ୟକ୍ରମ ଦ୍ୱାରା ହିତାଧିକାରୀମାନଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଏହି ସେବା ସେତୁ ଅଭିଯାନ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ସଂଯୋଜିତ କରିବା, ଆବେଦନ ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୨୫ ଟି ଆବେଦନ ଗ୍ରହଣ ହୋଇଥିଲା। ସେଥି ମଧ୍ୟରୁ ପକ୍କାଘର ବିଭାଗରେ ୧୧ ଗୋଟି, ସାମାଜିକ ସୁରକ୍ଷା ବିଭାଗରେ ୭ ଗୋଟି, ପାନୀୟ ଜଳ ବିଭାଗରେ ୪ ଗୋଟି, ଉନ୍ନୟନ ମୂଳକ କାର୍ଯ୍ୟ ବିଭାଗରେ ୧ ଗୋଟି, ମିଶନ ଶକ୍ତି ବିଭାଗରେ ୧ ଗୋଟି ଓ ଆଇସିଡିଏସ ବିଭାଗରେ ୧ ଗୋଟି ଆବେଦନ ଅନ୍ତର୍ଭୁକ୍ତ ଅଟେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, କରଚୁଲି ଓ କରସିଂଙ୍ଗି ପଞ୍ଚାୟତର ପିଇଓ ସମେତ ଏମବିକେ, ସିଆରପି ପ୍ରଭୃତି କର୍ମଚାରୀ ଉପସ୍ଥିତ ଥିଲେ।
9