ଢେଙ୍କାନାଳ, 24/09/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ତା. ୨୪/୦୯/୨୦୨୬ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନଏସଏସ ସହ-ଶାଖା ପକ୍ଷରୁ ଗୁରୁବାର ମହାବିଦ୍ୟାଳୟ ପରିସରରେ ‘ଏନଏସଏସ ଦିବସ-୨୦୨୬’ ପାଳିତ ହୋଇଯାଇଛି। ଯୁବପିଢ଼ି ମଧ୍ୟରେ ସମାଜସେବା, ନେତୃତ୍ୱ ଓ ଆତ୍ମବିଶ୍ୱାସ ବିକାଶ ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବରାଳ ଯୋଗଦେଇ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କୁ ଦେଶର ‘ସୈନିକ’ ଭାବେ ଅଭିହିତ କରିବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।
ପ୍ରୋଗ୍ରାମ ଅଫିସର ଡ. ରବର୍ଟ ୱିଲସନ ଭତ୍ରା କାର୍ଯ୍ୟକ୍ରମ ପରିଚାଳନା କରି ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଦୂରଦୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବାଣିଜ୍ୟ ବିଭାଗର ସହକାରୀ ଅଧ୍ୟାପକ ଡ. ରଜନୀକାନ୍ତ ଖୁଣ୍ଟିଆ ଯୋଗଦେଇ ସ୍ୱେଚ୍ଛାସେବାର ମହତ୍ତ୍ୱ ଓ ଏହା ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା, ଧୈର୍ଯ୍ୟ, ଆତ୍ମନିୟନ୍ତ୍ରଣ ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଉପରେ ଆଲୋକପାତ କରିଥିଲେ।
ପ୍ରଶାସନିକ ଅଧିକାରୀ ଡ. ବିଭୂଦତ୍ତ ଦାସ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ ସାମାଜିକ ଅବଦାନକୁ ପ୍ରଶଂସା କରିବା ସହ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଅଂଶଗ୍ରହଣ ନେଇ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଡିଏଚଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଇଂରାଜୀ ପିଜିଟି ଶ୍ରୀ ପବିତ୍ର ଜେନାଙ୍କ ସମେତ ବହୁ ସଂଖ୍ୟକ ଏନଏସଏସ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।