ଏରସମା, 13/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶ ଜେଏସଡବ୍ଲୁ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ସାରଦା ପ୍ରସନ୍ନ ଜେନା।ଘରୋଇ କମ୍ପାନୀ ଜେଏସଡବ୍ଲୁ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ମେଗା ଇସ୍ପାତ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ,କ୍ଷତିଗ୍ରସ୍ତ ପାନ ଚାଷୀ,ମାଛ ଚାଷୀ,ଜଙ୍ଗଲ କମିଟି ଓ ପାନ ବରଜ ଶ୍ରମିକଙ୍କୁ ବକେୟା ଶ୍ରମିକ ଭତ୍ତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା।ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଢ଼ିଙ୍କିଆ ଚାରିଦେଶ ରୂପେ ପରିଚିତ ଢ଼ିଙ୍କିଆ,ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ଅଧିବାସୀ ଜେଏସଡବ୍ଲୁ ପ୍ରକଳ୍ପକୁ ପ୍ରାରମ୍ଭରୁ ସମର୍ଥନ ଦେଇ ଆସିଛନ୍ତି।ଆହୁରି ମଧ୍ୟ ନିର୍ମାଣ କାମ ଆରମ୍ଭ କରିବା ନିମନ୍ତେ ନିଯୁକ୍ତ ଠିକା କମ୍ପାନୀର ପରିବହନ ହୋଇ ଆସିଥିବା ଆବଶ୍ୟକୀୟ ବଡ଼ ବଡ଼ ଯନ୍ତ୍ର ପାତି ଓହ୍ଲାଇବାରେ ସହଯୋଗ କରିଛନ୍ତି।ହେଲେ ସଂପୃକ୍ତ ଠିକା କମ୍ପାନୀ ମାନେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆରମ୍ଭ କରିଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି।ପ୍ରକଳ୍ପ ପାଇଁ ସମସ୍ତ ଜୀବିକା ହରାଇଥିବା ସ୍ଥାନୀୟ ଅଧିବାସୀ ବର୍ଷ ବର୍ଷର ମୌଳିକ ଦାବିକୁ ଅଗ୍ରାହ୍ୟ କରାଯାଇ ନିର୍ମାଣ କାର୍ଯ ଆରମ୍ଭ କରାଯାଇ ଥିବାରୁ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ବିଧାୟକ ଜେନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।ସେ ଯେଉଁ ସବୁ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ସେଥି ମଧ୍ୟରୁ କେତେକ ଯୋଗ୍ୟ ପାନ ବରଜୀଙ୍କୁ କ୍ଷତି ପୂରଣ ରାଶି ପ୍ରଦାନ କରାଯାଇନାହିଁ।ଖାଲି ସେତିକି ନୁହେଁ ବରଂ କେତେକ ପାନ ବରଜ କ୍ଷତି ପୂରଣ ପାଇବା ତାଲିକାରୁ ବାଦ ପଡିଛନ୍ତି।ପାନ ବରଜ ଶ୍ରମିକଙ୍କୁ ଯଥା ଶିଘ୍ର ବକେୟା ଥିବା ଶ୍ରମିକ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି।ଶିଳ୍ପ ନୀତିକୁ ଅଧିକାର କରି ସ୍ଥାନୀୟ ଜମି ହରା,ଜୀବିକା ହରା,ବେକାର ଯୁବକ ଯୁବତୀ କିପରି ପ୍ରକଳ୍ପରେ ନିଯୁକ୍ତି ପାଇବେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।ତେଣୁ କ୍ଷତିଗ୍ରସ୍ତଙ୍କ ପ୍ରତି ସାହାଯ୍ୟ କରିବା ନିମନ୍ତେ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ବିଧାୟକ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।